ଶାଗୁଣାର ଆଖି ପଚା ମଢ଼ରେ
ଶାଗୁଣାର ଆଖି ପଚା ମଢ଼ରେ
ଉଚ୍ଚ ତାଳ ଗଛେ ବସି ଲକ୍ଷ୍ୟ ଭେଦେ
ଶାଗୁଣାର ଆଖି ପଚା ମଢ଼ରେ
ତାହା ପାଇଁ ଯେଣୁ ପରିବେଶ ସଫା
ଉପକାରୀ ପକ୍ଷୀ ଧରା କୋଳରେ
ସେ ମାଂସାହାରୀର ସଂଖ୍ୟା କମନ୍ତି
ମାତ୍ର ବଢ଼ିଯା'ନ୍ତି ଶାଗୁଣା ସଦୃଶ
ନର ମାଂସ ଲୋଭୀ ମଣିଷ ଜାତି ।
ଚିଲ ଶାଗୁଣାର ଆଖି ପାଇଥାନ୍ତି
କଳାଧନେ ଥାଏ ଅଶେଷ ବଳ
ଝୁଣିଝୁଣି ଶୋଷି କଞ୍ଚା ରକ୍ତ ମାଂସ
ବାହାରେ ଦିଶନ୍ତି ସ୍ବଚ୍ଛ-ନିର୍ମଳ
ଭାବମୂର୍ତ୍ତି ଧରି ଗାଦିରେ ବସି
ଛଳ ଖୋଳପାରେ ମିଠା କଥା କହି
ଆନର ମନକୁ ଥାନ୍ତି ଆକର୍ଷି ।
ଉପକାର ବିନା ଯେତେ ଅମଙ୍ଗଳ
ହେଉଅଛି ଆଜି ତାଙ୍କରି ପାଇଁ
ନାରୀ ନିର୍ଯ୍ୟାତନା ଲୁଣ୍ଠନ ଶୋଷଣ
କଷଣେ ବି ପ୍ରକୃତି ବିଳାପଇ
ତୁଣ୍ଡ ଖୋଲି କିଛି ଲାଭ ବି ନାହିଁ
କେବଳ ଖବରକାଗଜ ପୃଷ୍ଠାରେ
ରହିଯାଏ ଦୃଶ୍ୟ ଅଦୃଶ୍ୟ ହୋଇ ।
ଘୋର କଳିକାଳ ଆସି ପହଞ୍ଚିଲା
ପ୍ରକୃତିରେ ଆଜି ପରିବର୍ତ୍ତନ
ମଢ଼ ପଚିପଚି ଦୁର୍ଗନ୍ଧ ବିତରେ
ଦୂର ସେଠୁ ଶାଗୁଣାର ନୟନ
ଏଥିପାଇଁ ଆମେ ନୁହେଁ କି ଦାୟୀ
ଡେଣାକୁ ମେଲାଇ ସ୍ବାର୍ଥ ପଛେ ଧାଇଁ
ପ୍ରକୃତ ସତ୍ୟଠୁ ଯାଉ ଦୂରେଇ ।
