ସେତୁବନ୍ଧ
ସେତୁବନ୍ଧ
ମଧୁମୟ ସୃଷ୍ଟି ବିରାଟ ବିଶ୍ୱରେ
ସୁସାହିତ୍ୟ ସେତୁବନ୍ଧ
ଗୁଣ୍ଡୁଚି ପ୍ରାୟେକ ସାହିତ୍ୟିକ ମାତ୍ର
ପାଳେ ସୃଷ୍ଟି ଅନୁବନ୍ଧ ।
ସୃଜନ କର୍ମରେ ଉତ୍ସର୍ଗେ ଜୀବନ
ଢାଳି ଦିଏ ମନପ୍ରାଣ
ସୁମଧୁର କାବ୍ୟ କବିତା ପ୍ରବନ୍ଧେ
ବିତରେ ଅମୃତ କଣ ।
ସାର୍ଥକ ସୁନ୍ଦର କୃତି ଅନୁପମ
ସାରସ୍ୱତ ମୂଳ ଭିତ୍ତି
ସୁଦୃଢ଼ କରଇ ବନ୍ଧୁତ୍ୱ ଭାବନା
ବିଶ୍ଵ ଶାନ୍ତି ମୈତ୍ରୀ ପ୍ରୀତି ।
ପ୍ରତିଷ୍ଠା ଉତ୍ତମ ସୁସାହିତ୍ୟ ମଞ୍ଚ
ଆବାହନ ପ୍ରକାଶନ
ବଢାଉ ବରଦ ଶ୍ରୀହସ୍ତ ଅଦୃଶ୍ୟେ
ଉନ୍ମେଷୁ ମହତ କର୍ମ ।
ଗୁଣ୍ଡୁଚିର ଦେହେ ସୁଶୋଭୁ ସର୍ବଦା
ହସ୍ତରେଖା ଶୁଭାଶିଷ
ସତ୍ୟ ତ୍ୟାଗ ନିଷ୍ଠା ସୁମତି ସୁଗତି
ଜୀବନ ଲଭୁ ଆଦର୍ଶ ।
ଅସତ୍ୟ ଅନ୍ୟାୟ ପାପ କଳ୍ମଷର
ହେଉ ବିନାଶ ବିଲୟ
ଶ୍ରୀ ରାମ ଶ୍ରୀ କୃଷ୍ଣ ଅବତର ପ୍ରଭୁ
ଧରମର ହେଉ ଜୟ ।
