ସେପାରି
ସେପାରି
ଆରେ ମୋର ଘନ କଳା ଅନ୍ଧାର
ତୋ ଆଖିରେ ରହିବାକୁ
ମୁଁ ଉଜାଗର ସବୁଦିନ,
ଦେହ କଣ୍ଢେଇ ସଜେଇ ଦେ
ମନ କାହାଳୀ ବଜେଇ ଦେ
ଦିଶୁ ନାହିଁ ଆରପାରି
ନଈ ସାରା ଭଉଁରୀ
ପାରି କରିଦେ ଯିବି ମୁଁ ସେପାରି ।
ଅଣଚାଶ ପବନ ବହୁଛି
ନୂଆ ମୁଁ ଉଡ଼ା ଦେଉଛି
ଏତେବଡ ଆକାଶ କୁ
ଖେଦିବି କେମିତି
ପର ମୋର ଝଡୁଛି
ମନେ ଅଛି!
କଥା ହୋଇଛେ ଆମେ
ଯାଗା ଦେବୁ ବିମାନରେ,
ଡେଣା ମେଲିବି
ଫୁର୍ କିନା ଉଡିଯିବି
ଆର ପାରିକୁ ।
ମୋ ଭିତରେ ତୁ
ତୋ ଭିତରେ ମୁଁ
ତଥାପି ମାୟାରେ ବାୟା ମୁଁ
ଖୋଜୁଛି ସବୁଦିନ
ଏଠି ସେଠି
ଦୃଶ୍ୟରୁ ଦୃଶ୍ୟାନ୍ତର ଯାଏଁ ।
ବାହାରେ ଅନ୍ଧାର ଯେତିକି
ଭିତରେ ବ୍ୟାପିଛି ସେତିକି
ସେଇ ଅନ୍ଧର ତ
ଦିବ୍ୟ ଚେତନା
ପରମ ସତ୍ୟ
ପରମ ସତ୍ତା
ତା’ର ଉତ୍ସ ନାହିଁ
ସବୁର ଉତ୍ସ ସେହି
ଯାହାଖାଲି ଘଟରୁ ଘଟାନ୍ତର
ଏପାରି ରୁ ସେପାରି ।