ସେକାଳ କଥା
ସେକାଳ କଥା
ଆମ ଜେଜେ ଦିନେ ବଖାଣି ବସିଲେ
ତାଙ୍କ ପିଲାଦିନ କଥା ,
କହିଲେ-"ପିଲାଏ ସେ ସବୁ ଶୁଣିଲେ
ଘୂରିଯିବ ତୁମ ମଥା
ସେବେ ଚଳୁଥିଲା ଅଣି ,ଦୁଇଅଣି
ଟଙ୍କାକଟା ଷୋଳଅଣା ,
ସୁଉକି ,ଅଧୁଲି ,ପାହୁଲା କରିକି
ଟଙ୍କା ହେଉଥିଲା ଗଣା
ଶହେ ପଇସାରେ ଏକଟଙ୍କା ଏବେ
ତୁମେ ସବୁ ଅଛ ଜାଣି ,
ସେତେବେଳେ ଥିଲା ଚୌଷଠି ପଇସା
ଆଚମ୍ବିତ ହେବ ଶୁଣି
ଅଣି ,ଦୁଇଅଣି ପାଞ୍ଚ ପଇସାର
ମୂଲ୍ୟଟା ବହୁତ ଥିଲା ,
ଗୋଟିଏ ଟଙ୍କାରେ ଭଳି ଭଳି ଚିଜ
ସହଜରେ ମିଳୁଥିଲା
ଚାରି ପଇସା ତ ମାଆ ଦେଉଥିଲା
ଦେଖିଗଲାବେଳେ ଯାତ ,
ସେଇ ପଇସାରେ ଜଳଖିଆ ଖାଇ
ପୂରି ଯାଉଥିଲା ପେଟ
ନିଶ ମୋଡ଼ି ଜେଜେ କହିଲେ ଆହୁରି
ଏବେ ମହରଗ କାଳ ,
ଶହେ ଟଙ୍କାରେ ବି ମିଳୁନି ସହଜେ
ଖାଇବାକୁ ପୁଞ୍ଜେ ଫଳ
ଆନ ଦରବର ଭାଉ କଥା ଛାଡ଼
ବଖାଣିବି କେତେ ଆଉ ,
ସେ କାଳ ,ଏ କାଳ କଥା ତ ଜାଣିଲ
ଆଜିକ ସେତିକି ଥାଉ
