ସେଦିନର ବର୍ଷା ଭିଜା ସକାଳ
ସେଦିନର ବର୍ଷା ଭିଜା ସକାଳ
ସକାଳୁ ସକାଳୁ ବଗିଚାକୁ ଗଲି
ଫୁଲର ଚାଙ୍ଗୁଡି ନେଇ
ଫୁଲ ତୋଳିଆଣି ଦିଅଁଙ୍କୁ ପୂଜିବି
ବୋଲି ଭାବିଥିଲି ମୁହିଁ ||
କୁଆଡୁ ଆସିଲା ଅଦିନିଆଁ ଝଡ
ବାଦଲ ଫଟାଇ ସତେ
ଅଣଚାଶ ବାଆ ସହିତ ବରଷା
ଆସିଗଲେ ଏକ ସାଥେ ||
ଝର ଝର ହୋଇ ବରଷା ଝରିଲା
ମୋ କୋମଳ ଦେହ ପରେ
ତାଳୁରୁ ତଳିପା ଭିଜାଇ ଦେଲା ସେ
ଏ ସୁନ୍ଦର ସକାଳରେ ||
ଫୁଲ ଚାଙ୍ଗୁଡିକୁ ମସ୍ତକେ ରଖିଲି
କେଶ ଭିଜିବନି ବୋଲି
ଅମାନିଆଁ ଝଡ ବରଷାର ଧାରା
ମୋ ଉପରେ ଦେଲା ଢାଳି ||
ଭିଜିଗଲା ମୋର ଦେହର ବସନ
ଶିହରାଇ ତନୁ ମନ
ତାଳୁରୁ ତଳିବା ଭିଜା ଶରୀରରେ
ଜଗାଇଲା ଶିହରଣ ||
ଦୂରରୁ ଦେଖିଣ ରସିକ ନାଗର
ମାରିଦେଲା ଫୁଲଶର
ତାର ଆଖି ଦୁଇ ମୋର ଦୁଇ ଆଖି
ମିଶିଗଲେ ପରସ୍ପର ||
ଆଖିର ଠାରରେ ମନ ମିଶିଗଲା
ହୃଦୟେ ବାଜିଲା ତୀର
ପଛଆଡୁ ସିଏ ଛପି ଛପି ଆସି
କଟିଦେଶେ ଦେଲେ ଖର ||
ମନ୍ଦାର ଗଛରୁ ମନ୍ଦାର କଢିଟେ
ମୋ ଗାଲରେ ଦେଲା ନେଶି
ଲାଜେ ସରମିଲି ସରମି ଲତାମୁଁ
ମୁରୁକି ମୁରୁକି ହସି ||
ପିନ୍ଧା ବାସ ମୋର ଭିଜି ସରସର
ପୁଲକ ଜାଗିଲା ଦେହେ
ରସିକ ନାଗର ହସି ହସି କହେ
ମୁଁ କାଳେ ତା ମନ ମୋହେ ||
ପଛ ପଟୁ ଆସି ଗାଲକୁ ଆଉଁସି
ଆଲିଙ୍ଗନ କରିନେଲା
ତା ମସୃଣ ଛାତି ଭିଜା ଦେହେ ଲାଗି
ଶିହରଣ ଖେଳାଇଲା ||
ଲୋମକୂପ ମୋର ଉଲ୍ଲସିତ ହେଲା
ସର୍ବାଙ୍ଗେ ଜାଗି କମ୍ପନ
କମ୍ପିତ ଓଠରେ ସ୍ନିଗ୍ଧ ଚିବୁକେ ତା
ଆଙ୍କି ଦେଲି ମୁଁ ଚୁମ୍ବନ ||
ମୁଁ ସେବେ ଆଉ ନ ଥିଲି ମୋହର
ସେ ତ ନଥିଲା ତାହାର
ଥଳକୂଳ ଦୁହେଁ ହରାଇ ବସିଲୁ
ପ୍ରୀତିବନ୍ୟା ଖର ସ୍ରୋତର ||
ଝଡ ଥମିଗଲା ସୂରୁଜ ହସିଲା
ନଭେ ରଚି ଇନ୍ଦ୍ରଧନୁ
ମନ ପରଦାରେ ଆମ ଦୁହିଁଙ୍କର
ରଙ୍ଗ ଭରି ସେହିଦିନୁ ||
ମନ ପରଦାରୁ ଲିଭିଲାନି ଆଉ
ଇନ୍ଦ୍ରଧନୁ ସାତରଙ୍ଗ
ମନ ପାରାବାରେ ଖେଳାଇ ଚାଲିଲା
ସହସ୍ର ପ୍ରେମ ତରଙ୍ଗ ||
ସେହି ତରଙ୍ଗରେ ଦୋହଲି ଦୋହଲି
ଭାସୁଛି ଜୀବନ ନାଆ
ଯେତେ ଆସିଲେ ବି ଦୁଃଖ ଝଡ ଝଞ୍ଜା
ସାଥେ ଅଣଚାଶ ବାଆ ||