ସେଦିନ ସଂଜ
ସେଦିନ ସଂଜ
ସେଦିନ ସଅଳ ସଅଳ
ଆସି ଯାଇଥିଲା ସଂଜ
ତର ତର ହେଇ ବିଲ ମଝିଟାରେ
ଘରମୁହାଁ ଥୋକେ ହରିଣ ଛୁଆ
ଝାମ୍ପି ନେଲା ଗୋଟେ ମୁଣ୍ଡ
ହେଟା ବାଘ ।
ସିଆଣିଆ ଥିଲା ଛୁଆ ଟା
ଗୋଡ ଛାଟିଲାନି, ବଳ କଷିଲାନି
ଖୋଜୁଥିଲା ମନେ ମୌକା ।
ଖାଇବା ପାଇଁ କି ହେଟା ଆଁ କଲା
ପଡିଗଲା ପଂଝା ଢିଲା
ମୁନିଆଁ ଦାନ୍ତ ରୁ ବେକ କୁ ଖସେଇ
ଛୁଆ ଏକମୁହାଁ ଦୌଡିଲା ।
ବଂଚିଗଲା ବଂଚିଗଲା
ବାଟରେ ହେଟା ଟେ ମାତିଛି ବୋଲି
ସମସ୍ତଙ୍କୁ ଚେତେଇଲା ।
ଚେତିଗଲେ ସାହି ଭାଈ
ନିଜ ହିସାବରେ ନଖ ଦାନ୍ତ ଚିହ୍ନ
କଳଙ୍କ ର କଳା ଛାଇ
ଛୁଆ ଦେହେ ଦେଲେ ନାଇ ।
ସେଦିନୁ ବାଳୁତ ପିଲା
ନିଜ ଲୋକଙ୍କର ଆହା ଆହାଃ ରେ
ନିଇତି ମରୁଥିଲା ।
