STORYMIRROR

Chinmayee Sahoo

Classics

2  

Chinmayee Sahoo

Classics

ସେ ବି ମୋର

ସେ ବି ମୋର

2 mins
151

ନୀରବ ମୁଖ ର

 ନିଃଶବ୍ଦ ଅଳି ବା ଅଭିଯୋଗକୁ

 ମୁଁ ଏଡାଇ ପାରେନା

 ତା'ର ଅଙ୍ଗ ଭଙ୍ଗୀର ଭାଷା 

ମୁଁ ବୁଝି ଅବୁଝା ରହିପାରେନା

ତା'ର ଅସହାୟତାରେ ଲୁକ୍କାୟିତ ଥିବା

 ଗୁହାରି ବା ଦାବିକୁ ମୁଁ ପ୍ରତ୍ୟାଖ୍ୟାନ କରିପାରେନା

କାରଣ ସେ ବି ମୋର

ମୁଁ ବି ତା'ର ଅତି ନିଜର କହିଲେ ଅତ୍ୟୁକ୍ତି ହେବ ନାହିଁ

ତା'ର ଦାୟିତ୍ବ ଟା ଯେବେ ମୋ ଉପରେ ନ୍ୟସ୍ତ ଅଛି ମୁଁ ତା'କୁ ଭାରି ଭଲ ପାଏ

ମୁଁ ଯେହେତୁ ତା'ର ତତ୍ବାବଧାନରେ ଅଛି ତେଣୁ ସେ ମୋତେ ବହୁତ୍ ନିଜର ମନେ କରେ

ଆଉ ତା' ନିଃଶବ୍ଦ ଓଠର ଭାଷା କୁ ବୁଝିବା ପାଇଁ ଅଙ୍ଗ ଭଙ୍ଗୀ କରି ଇଙ୍ଗିତ ଦିଏ

ମୁଁ ତା'ର ଅଧିକାଂଶ ଇସାରା ବୁଝିପାରେ। ସେ ମୋଠୁ ଅସୀମ ସ୍ନେହ ଲୋଡ଼େ। ମୁଁ ଦେବାକୁ ଚାହେଁ, ମାତ୍ର ସଂସାର ଜଞାଳରେ ଯେତିକି ସମ୍ଭବ ସେତିକି ଦିଏ। ହେଲେ ସେଥିରେ ତା'ର ମନ ବୁଝେନା। ସେ ମୋତେ ସବୁବେଳେ ତା'ର ପାଖେ ପାଖେ ଚାହେଁ। ଖାଇବାରେ ମନ ନ ବୁଝିଲେ ଆଉ ଅଧିକ ସୁସ୍ବାଦୁ ଦ୍ରବ୍ୟ ପାଇଁ ଇସାରା ଦିଏ। କେବଳ ଗୋଟିଏ ନାମ ହିଁ ସେ ଉଚ୍ଚାରଣ କରିପାରେ ...ମା',ମା'

ମୋ ପିଲାମାନଙ୍କଠୁ ସେ ବେଶୀ ମୋତେ ମା'ଡାକେ। ବ୍ୟସ୍ତ ତା ଭିତରେ ତା'କଥା ବୁଝି ନ ପାରିଲେ ଗାଢେଇକି ଚାହିଁ ଋଷି ବସେ। ଟିକେ ଗେହ୍ଲାରେ ତା'କୁ "ଟିଟୁ ...ଟିଟୁ...ତୁ ରାଗିଚୁ" ବୋଲି କହି ଆଉଁସି ଦେଲେ ଖୁସି ହେଇଯାଏ। ମୋ ବ୍ୟତିତ ତା'ର ଡାକ ବିଶେଷ କାହାପାଇଁ ଗୁରୁତ୍ବ ଯେହେତୁ ନ ଥାଏ,ସେ ମୋ ଉପରେ ହିଁ ତା'ର ଅଧିକାର ସାବ୍ୟସ୍ତ କରେ। ମୁଁ ବି କାହିଁକି କେଜାଣି ରହିପାରେ ନାହିଁ ତା'ର ଡାକ ଶୁଣି। କାରଣ ମୋତେ ଲାଗେ ତା'ର ମା'ଡାକ ବୋଧେ କେବଳ ମୋ ପାଇଁ। ତା' ମା'ଠାରୁ କାହିଁ କେତେ ଛୋଟବେଳୁ ତା'କୁ ଛଡେଇ ନିଆଯାଇଥିଲା। ତେଣୁ ତା'କୁ ତା 'ର ମା'ର ମୁଖ ମନେ ଥିବ କି ନାହିଁ ସନ୍ଦେହ ? ମୋ ପିଲାମାନଙ୍କ ଭଳି ସେ ବି ତ ମୋର ପିଲାଟିଏ। ମୁଁ ତାକୁ ଅନେକ ଥର ମୁକ୍ତ ହେବାକୁ ସୁଯୋଗ ଦିଏ। ଖୋଲିଦିଏ ସମସ୍ତଙ୍କ ଅଗୋଚର ରେ ପଞୁରୀର ଦ୍ଵାର। ମାତ୍ର ସେ ପଞ୍ଜୁରୀ ରେ ହିଁ ନିଜକୁ ବୋଧେ ସୁରକ୍ଷିତ ମନେ କରେ । ବାହାରକୁ ଆଣିଲେ କାକୁସ୍ଥ ହୋଇଯାଏ । କାରଣ ଦୀର୍ଘଦିନ ପଞ୍ଜୁରୀ ରେ ରହି ବୋଧେ ଉଡ଼ିବା ଭୁଲି ଯାଇଛି ଶୁଆଟି। ବାହାର ଦୁନିଆ ତା'କୁ ବିପଦପୂର୍ଣ୍ଣ ଲାଗୁଛି। ଯାହା ବାସ୍ତବିକ। କେବଳ ପକ୍ଷୀ ଟି ପାଇଁ ନୁହେଁ ବରଂ ମଣିଷ ପାଇଁ ମଧ୍ୟ ମଣିଷ ସମାଜ ବିପଦପୂର୍ଣ୍ଣ ହୋଇଗଲାଣି ।


Rate this content
Log in

Similar oriya poem from Classics