STORYMIRROR

Kulamani Sarangi

Inspirational

3  

Kulamani Sarangi

Inspirational

ସ୍ବୟମ୍ବର

ସ୍ବୟମ୍ବର

3 mins
13.8K


.....୩୭....

(ବିଷମ ସଂକଟ)

************

ବିଦାୟ ନେଲେ ପାଣ୍ଡବେ ଘେନି ରାଜବାଳୀ,

କୁମ୍ଭାରଶାଳ ଦିଗରେ ସର୍ବେ ଗଲେ ଚଳି।

ଧୃଷ୍ଟଦ୍ୟୁମ୍ନଙ୍କୁ ପାଶକୁ ଡାକି ଯାଜ୍ଞସେନ,

ବୋଇଲେ "ଏ ତ ଦିଶନ୍ତି ପାଣ୍ଡବ ଯେସନ।

ମାତା ପାଶେ ଯାଉଛନ୍ତି ପ୍ରତେହୁଏ ମୋର,

ଅନୁସରଣ ଏହାଙ୍କୁ ପୁତ୍ର ତୁମ୍ଭେ କର।

ସତ୍ୟାସତ୍ୟ ଜାଣି ତାଙ୍କୁ ଆଣିବ ପ୍ରାସାଦେ,

ଆଡମ୍ବରେ ବିଭାକାର୍ଯ୍ୟ ସମ୍ପନ୍ନ ନିମନ୍ତେ।"

ପଛେ ପଛେ ଗଲେ ଧୃଷ୍ଟଦ୍ୟୁମ୍ନ ସନ୍ତର୍ପଣେ,

ଆଗେ ଚାଲନ୍ତି ଦ୍ରୌପଦୀ ପାଣ୍ଡବ ଗହଣେ।

କୁମ୍ଭାରଶାଳ ନିକଟେ ପହଞ୍ଚିଲେ ଯାଇ,

ଦ୍ବାରଦେଶେ ଥାଇ ବୋଲୁଛନ୍ତି ପାଞ୍ଚଭାଇ।

" ଭିକ୍ଷା ମାଗି ଆଣିଛୁ ମା ଅପୂର୍ବ ଦରବ,

ତା'ଦେଖିଲେ ତୁମ୍ଭ ମନ ଆନନ୍ଦିତ ହେବ।

ରାଜପୁରୁ ଆଣିଅଛୁ ଯେ ଅପୂର୍ବ ଧନ,

ତା ଦେଖିଲେ କିଏ ବା ନହେବ ହୃଷ୍ଟମନ?"

ଭିତରେ ଥାଇ କହିଲେ କୁନ୍ତଭୋଜ ସୁତା,

" ସମ ଭାବେ ବାଣ୍ଟିନିଅ ତାହା ପଞ୍ଚଭ୍ରାତା।

ଉଣା ଅଧିକ ଯେପରି କାହାର ନହେବ,

ପାଞ୍ଚଭାଇ ସମଭାବେ ବଣ୍ଟନ କରିବ।"

ଶୁଣି ତାହା ସ୍ତବ୍ଧ ହେଲେ ଧର୍ମଙ୍କ ନନ୍ଦନ,

" ଏ'କି ଆଜ୍ଞା ଦେଲ ମାତା,ଘୋର ଅଘଟଣ!

ତୁମ୍ଭ ଆଜ୍ଞା ଶିରୋଧାର୍ଯ୍ୟେ ସଦା ଥାଉ ମାନି,

ଆଜି କିପରି ମାନିବୁ,କୁହଗୋ ଜନନୀ?

ନୁହେ ଏ ପଦାର୍ଥ,ଯାହା ବାଣ୍ଟିବାର ଯୋଗ୍ୟ,

ବିଡମ୍ବିତ ହେବ ସିନା ରାଜକନ୍ୟା ଭାଗ୍ୟ!"

କୁନ୍ତୀ ଶୁଣି ଧର୍ମରାଜଙ୍କର ଏହି ବାଣୀ,

ଗୃହମଧ୍ୟୁ ଆସି ମଥା କୋଡିହେଲେ ରାଣୀ।


" କି କଲି,କି କଲି" ବୋଲି କାମୁଡିଲେ ଜିଭ,

ଏ'କି ଆଜ୍ଞା ଦେଲି,କେହ୍ନେ ହେବ ତା ସମ୍ଭବ?

ସତ୍ୟ କରି ପୁତ୍ରେ ସଦା ମାନନ୍ତି ମୋ କଥା,

ରିଷ୍ଟ ଉପୁଜିବ ତାହା ହୋଇଲେ ଅନ୍ୟଥା।"

ବୁଝୁ ବୁଝୁ ଜାଣିଲେ ସେ ପାର୍ଥ ଧନୁର୍ଦ୍ଧର,

ଲକ୍ଷ ଭେଦି ଜିଣିଅଛି ହସ୍ତ ଦ୍ରୌପଦୀର।

ଆଗେ ଉଭା ଯାଜ୍ଞସେନୀ ସ୍ବର୍ଗ ଅପସରୀ,

କେଡେ ଭାଗ୍ୟେ ବଧୂ ହୋଇ ଆସିଛି ତାଙ୍କରି!

ବନ୍ଦାପନା କରି ଗୃହେ ନେଲେ ତାଙ୍କୁ ପୃଥା,

ମାତାଙ୍କ ପାଦ ନମିଲେ ଯାଜ୍ଞସେନ ସୁତା।

ମହା ଭାଳେଣି ପଡିଲା ପାଣ୍ଡବଙ୍କ ଘରେ,

ସତ୍ୟ ଲଂଘିବେ କେମନ୍ତେ କୁନ୍ତୀଙ୍କ କୁମରେ?

ଆଗରୁ ତ ପାଞ୍ଚଭାଇ କରିଛନ୍ତି ସତ୍ୟ,

ମାତାଙ୍କର ଆଜ୍ଞା ସେହୁ ପାଳିବେ ସତତ।

ଯେଉଁ ଭୀଷ୍ମ ସତ୍ୟ ପାଳି ତେଜିଛନ୍ତି ରାଜ୍ୟ,

ସତ୍ୟପାଳି ନେଇଛନ୍ତି ଚୀର ବ୍ରହ୍ମଚର୍ଯ୍ୟ,

ସେ ବଂଶ ଦାୟାଦ ହୋଇ ପାଣ୍ଡବେ କି ପୁଣି,

ହେବେ ସତ୍ୟପଥ ଭ୍ରଷ୍ଟ ନ ପାରନ୍ତି ଜାଣି।

ମାତାଙ୍କର ପାଦ ଛୁଇଁ ନେଇଛନ୍ତି ବ୍ରତ,

ଯା କହିବେ ମାତା ତାହା ପାଳିବେ ସତତ।


ଯେଉଁ ସତ୍ୟ,ଧର୍ମ ପାଣ୍ଡବଙ୍କ ପରିଚୟ,

ସ୍ବାର୍ଥ ପାଇଁ କେମନ୍ତେ ତା କରିବେ ସେ କ୍ଷୟ?

ମୁଣ୍ଡେ ହାତଦେଇ ବସିଛନ୍ତି ଯୁଧିଷ୍ଠିର,

ବିଷମ ଚିନ୍ତାରେ ମଗ୍ନ ପବନ କୁମର।

ଭାଳନ୍ତି ଅର୍ଜୁନ "ଆମ୍ଭେ ପାଣ୍ଡୁ ପାଞ୍ଚଭାଇ,

ପାଞ୍ଚ ଦେହ ଏକ ଆତ୍ମା ଧରି ଅଛୁ ରହି।

ମାତାଙ୍କ ସ୍ନେହରଜ୍ଜୁରେ ବନ୍ଧା ଆମ୍ଭେ ସଦା,

ମାତାଙ୍କ ଆଦେଶ ଆମ୍ଭେ ପାଳିଛୁ ସର୍ବଦା।

ସତ୍ୟ,ଧର୍ମ ପାଇଁ ଯେବେ ହୁଏ ପ୍ରୟୋଜନ,

କରିପାରେ ପ୍ରାଣସମା ଜେମା ବିସର୍ଜନ।"

ନକୁଳ,ସହଦେବଙ୍କ ମୁଖେ ନାହିଁ ହସ।

କୁନ୍ତୀଙ୍କ ମୁଖମଣ୍ଡଳ ଢାଙ୍କିଛି ନୈରାଶ୍ୟ।

କଇଁ କଇଁ ହୋଇ କାନ୍ଦୁଛନ୍ତି ଯାଜ୍ଞସେନୀ,

ନିନ୍ଦୁଛନ୍ତି ନିଜ ଭାଗ୍ୟ ଦ୍ରୁପଦ ନନ୍ଦିନୀ।

ସତ୍ୟ ପାଳି ରାମଚନ୍ଦ୍ର ଗଲେ ବନବାସ,

ସତ୍ୟାର୍ଥେ ନଳ ରାଜନ କାଟେ ଘୋଡାଘାସ।

ସତ୍ୟ ପାଳି ଶିବି ନିଜ ଅଙ୍ଗ କାଟିଦେଲେ,

ସତ୍ୟ ପାଳି ଶାନ୍ତନୁ ପୁତ୍ରଙ୍କୁ ହରାଇଲେ।

ସତ୍ୟପାଳି ବାସୁକି ଧରିଛି ଧରାବର,

ସତ୍ୟପାଳି କୂଳ ଲଙ୍ଘେନାହି ପାରାବାର।

ମାତା ସତ୍ୟ ନପାଳିବେ କେହ୍ନେ ପାଞ୍ଚଭାଇ,

ଏତେ ବୋଲି ଭାଳିହେଲେ ଯୁଧିଷ୍ଠି ଗୋସାଇଁ।

ପାଣ୍ଡବଙ୍କ ପରିଚୟ ପାଇ ଧୃଷ୍ଟଦ୍ୟୁମ୍ନ,

ପହଞ୍ଚି ଆନନ୍ଦମନେ କଲେ ସମ୍ଭାଷଣ।

ଦେଖିଲେ ବିରସ;ଶୁଣି କାରଣ ତାହାର,

ବୋଇଲେ "ଏ ସମସ୍ୟାତ ଅଟେ ମହାଘୋର ।


କାଲି ମହାଜ୍ଞାନୀ ବ୍ୟାସ ଆସିବେ ପ୍ରାସାଦେ,

ସହଜେ ତ ବାସୁଦେବ ଛନ୍ତି ଆମ୍ଭମଧ୍ୟେ।

ଶାସ୍ତ୍ରମତେ ଯାହାହେବ ବତାଇବେ ସେହି,

ତଦନ୍ତେ ବିବାହ କାର୍ଯ୍ୟ ପୂର୍ଣ୍ଣ ହେବ ଯାଇ।"

ପଞ୍ଚପାଣ୍ଡବ ସହିତେ କୁନ୍ତୀ ଦ୍ରଉପଦୀ,

ସଙ୍ଗେ ଘେନି ଧୃଷ୍ଟଦ୍ୟୁମ୍ନ ପ୍ରାସାଦେ ଫେରନ୍ତି।

ପହଞ୍ଚନ୍ତେ ରାଜପୁରେ ସର୍ବେ ହୃଷ୍ଟମନ,

ଯୁଧିଷ୍ଠିଙ୍କୁ କୋଳାଗ୍ରତ କଲେ ଯାଜ୍ଞସେନ।

ବୋଇଲେ "ମୋ ଭାଗ୍ୟବଳେ ହେ ଧର୍ମକୁମର!

ଅର୍ଜୁନ ଜାମାତା ସିନା ହୋଇଲେ ଆମ୍ଭର।

ବଡ ଭାଗ୍ୟବତୀ ମୋର କୃଷ୍ଣାଯାଜ୍ଞସେନୀ,

ହୋଇବ ଶ୍ରେଷ୍ଠ ବୀରର ହୃଦ ବିଳସିନୀ।

ଧନଞ୍ଜୟ ସମ ଧନୁର୍ଦ୍ଧର ବିଶ୍ବେ ନାହିଁ,

ଗର୍ବିତ ମୁଁ ଆଜି ତାଙ୍କୁ ପୁତ୍ର ରୂପେ ପାଇ।

ଆନନ୍ଦ ଲହରୀ ଲଂଘେ ହୃଦପାରାବାର,

ବଚନ ନସ୍ଫୁରେ ମୁଖୁ ହେ ଧର୍ମ କୁମର!"

ବୋଇଲେ ଧର୍ମନନ୍ଦନ ନୁଆଁଇ ମସ୍ତକ,

"ବଡ ବିତ୍ପାତ ଘଟିଛି ପାଞ୍ଚାଳ ନାୟକ।

ଧର୍ମପଥଗାମୀ ଆମ୍ଭେ ପାଣ୍ଡୁ ପାଞ୍ଚଭାଇ,

ସତ୍ୟ କରିଛୁ ଶୈଶବୁଁ ମାତା ପାଦଛୁଇଁ,

ମାତାଙ୍କ ମୁଖୁ ଯେ ବାଣୀ ହୋଇବ ନିଶ୍ରୁତ

ପାଳନ କରିବୁ ତାହା ଜୀବନେ ସତତ।"

ଏତେ ବୋଲି ଯୁଧିଷ୍ଠିର ବଖାଣିଲେ ତାହା,

କୁମ୍ଭକାର ଶାଳେ ଘଟିଥିଲା ଯାହା ଯାହା।

ପୁଣି ବୋଇଲେ "ଆମ୍ଭେ ତ ସତ୍ୟ ନଭାଙ୍ଗିବୁ,

ପାଞ୍ଚଭାଇ କୃଷ୍ଣା ହସ୍ତ ଗ୍ରହଣ କରିବୁ।

ଏ ଅଟେ ସିଦ୍ଧାନ୍ତ ଆମ୍ଭ ପାଞ୍ଚ ଭାଇଙ୍କର,

ହେ ନରେଶ! ଅନୁରୂପ ଆୟୋଜନ କର"।

ଶୁଣି ଚମକି ପଡିଲେ ଦ୍ରୁପଦ ନରେଶ,

ବୋଇଲେ କିପାଇଁ କର ଏ ଅନୀତି ଭାଷ?

ଧର୍ମରାଜ ବୋଲି ପରା ବୋଲାଅ ମହିରେ,

କେମନ୍ତେ ପୋଷୁଛ ଚିନ୍ତା ଏମନ୍ତ ମନରେ?

ଅପମାନ ହେବ ଏହା ପାଣ୍ଡବ କୁଳକୁ,

ଅପମାନ ହେବ ଆମ୍ଭ ବଂଶ ଗରିମାକୁ।


ସତ୍ୟରକ୍ଷା ପାଇଁ ଦେବ ଧର୍ମ ଜଳାଞ୍ଜଳି?

ଏ କି ଚିନ୍ତା ମନେ ପୋଷ ଆହେ ମହାବଳୀ?"

ଯୁଧିଷ୍ଠି ବୋଇଲେ ତାତ ନକର ହେ ଚିନ୍ତା,

ବ୍ୟାସଦେବ ଅଟନ୍ତି ତ ସର୍ବ ଶାସ୍ତ୍ର ଜ୍ଞାତା।

ଯୋଗକୁ ତାଙ୍କର ହୋଇଅଛି ଆଗମନ,

ପଚାରି ବୁଝିବା ତାଙ୍କୁ ସମସ୍ତ ବିଧାନ।

"ମାତୃସତ୍ୟ" ନହୋଇବ ଯେବେଟି ପାଳନ,

ପାର୍ଥ ନକରିବେ ଯାଜ୍ଞସେନୀଙ୍କୁ ଗ୍ରହଣ।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational