ସ୍ବପ୍ନ ଥିଲା ପ୍ରିୟା ପାଇଁ
ସ୍ବପ୍ନ ଥିଲା ପ୍ରିୟା ପାଇଁ
ସ୍ବପ୍ନ ଥିଲା ପ୍ରିୟା ପାଇଁ ଆହା କି ମଧୁର
ସ୍ବପ୍ନ ଥିଲା ପ୍ରିୟା ପାଇଁ ପ୍ରେମରେ ବିଭୋର ॥
ହୋଇ ବିତାଇବି ବେଳ ମୁହିଁ ଚିରକାଳ
ପ୍ରେମ‐ମୟୀ ସ୍ବପ୍ନ ଭାର ଦେଖି ନିରନ୍ତର ॥
ଯାପିଲି ମଉଜେ କାଳ କାହିଁରେ ଧିଆନ
ନ ଲାଗିଲା ଆଉ କାହିଁ ପ୍ରିୟାବିନା ଆନ ॥
ଅଚାନକ ସବୁ ସ୍ବପ୍ନ ହୋଇଲା ବିଚୂର୍ଣ୍ଣ
ଅଳିକ ମାୟାର ଆହା ପ୍ରପଞ୍ଚ ଭିଆଣ ॥
ମରିଚିକା ପଛେ ଭ୍ରମି ଭ୍ରାନ୍ତି ହେଲା ଦୂର
ଅଳିକ ପ୍ରେମରେ କ୍ଷଣେ ହୁଅନ୍ତି ବିଭୋର ॥
ଦେଖିଲି ସୁନେଲି ସ୍ବପ୍ନ ହସି ଖିଲିଖିଲି
ସ୍ନେହ ସରାଗରେ ସିକ୍ତ ପ୍ରିୟତମା ଖାଲି ॥
ମଧୁ ସମ୍ଭାଷଣେ କିଣି ନେଉଛି ଅନ୍ତର
ସ୍ବପନେ ମୋମନେ ହେଲା ଆନନ୍ଦ ଅପାର ॥
ଆପଣାର କଥା ତେଜି ପ୍ରିୟା ପାଇଁ ଖାଲି
ସ୍ବପନରେ ପ୍ରିୟା କଥା କେତେ ଯେ ଭାବିଲି ॥
ଥିଲା ପ୍ରାଣ ପ୍ରିୟା ଲାଗି ଦଣ୍ତେ ନ ଦେଖିଲେ
ସାରାଦିନ ଖାଲି ମୋତେ ଖାଆଁ ଖାଆଁ ଲାଗେ ॥
ତା' ପ୍ରେମରେ ମସଗୁଲ ହୋଇ ତା' 'ପାଇଁକି
ଭାବି ଭାବି ପାଠରୁ ମୋ ମନ ଗଲା ଶୁଖି ॥
ସ୍ବପ୍ନ ଥିଲା ପ୍ରିୟା ପାଇଁ ପ୍ରଣୟ ଆବେଗେ
ଚିନ୍ତୁଥିଲି କେତେ କଥା ଯାଇ ତା'ର ଆଗେ ॥
ବଖାଣି ପରାଣେ ତୂପ୍
ତି ଭରନ୍ତି ତାହାର
ଦେଖି ଦେଖି ଅନ୍ଯ ଯେତେ ପ୍ରେମରେ ପାଗଳ ॥
ହୋଇ କି କେସନେ ନିତି ଲେଖୁଛନ୍ତି ଚିଠି
ସ୍ବପ୍ନ ଦେଖି ପ୍ରିୟା ପାଇଁ ହୋନ୍ତି ଛାଟି ପିଟି ॥
ପିଟାପିଟି ପୁଣି କେତେ ଭିଆଅନ୍ତି ରାଗେ
ପ୍ରିୟା ଗାଲେ ଆଙ୍କି ଚୂମ୍ବ ଆହା କି! ସରାଗେ ॥
ପିୟାର ପିଠିକୁ କରେ ଗେହ୍ଲରେ ଥାପୁଡି
ଦେଲେ ରାଗେ ଘୁଞ୍ଚି ବସେ ଦିଏ ମୁହଁ ମୁଡି ॥
ସରଗ ସୁଷମା ଝରି ପଡଇ ସେ କ୍ଷଣେ
ପ୍ରିୟା ଚାରୁ ମୁଖ ଶୋଭା ଦର୍ଶକ ନୟନେ ॥
ଜଗାଏ ଅପୂର୍ବ ସ୍ନିଗ୍ଧ ଭାବର ମାଧୁର୍ଯ୍ଯ
ବିଲୋକି ସେ ଶୋଭା ହୁଏ ମନ ନେତ୍ର ମୁଗ୍ଧ ॥
ତରଳ ଅପାଙ୍ଗ ଭଙ୍ଗୀ ମଧୁର ମାଧୁରୀ
ଚାହିଁଲେ ସେ ଚାହେଁ ମୋତେ ମନ ଉଠେ ପୁରି ॥
ମୁକ୍ତା ଝରା ସ୍ମିତ ହାସ୍ଯ ଖେଳାଇ ଅନାଇ
କି ! କୁହୁକେ ପ୍ରାଣମନ ନିଏ ଆକର୍ଷାଇ ॥
ସ୍ବପ୍ନ ଥିଲା ପ୍ରିୟା ପାଇଁ ହୁଅନ୍ତି ପ୍ରଣୟୀ
ପ୍ରୀତିର ମାଧୁରୀ ଧାରେ ତାରେ ମନଦେଇ ॥
ଦେଖିଲି ଭାବିଲି କେତେ କଳ୍ପନା ପ୍ରଭାବେ
ପ୍ରତିକ୍ଷଣେ ମନ ମୋର ଥିଲା ପ୍ରିୟା ଠାବେ ॥
ପ୍ରଣୟ ଆବେଗେ ପାଠ ପଢା ହେଳା କରି
ପ୍ରିୟା ପାଇଁ ସ୍ବପ୍ନ ‐ମରିଚିକା ଯେ ଲୋଡିଲି ॥
ସେହି ହେତୁ ସବୁ ସ୍ବପ୍ନ ହେଲା ଅକାରଣ
ଘୋରତର ପଶ୍ଚାତାପେ ଯାପୁଅଛି ଦିନ ॥