ସ୍ବପ୍ନ ଥିଲା ପ୍ରିୟା ପାଇଁ
ସ୍ବପ୍ନ ଥିଲା ପ୍ରିୟା ପାଇଁ
ମନର ସୁନ୍ଦର ବନେ ଉପବନେ ମୋର
ଆଶାର ପେନ୍ଥା ପେନ୍ଥା ସୁମନ କଢି
ଗଜୁରି ଉଠୁଥିଲା ବୟସର ପଲ୍ଲବିତ ଡାଳେ
ସବୁଜ ସମ୍ଭାବନାର ସମ୍ଭାରକୁ ନେଇ
ଫୁସୁଲେଇ ଥିଲି ଫୁଲେଇ ଫଗୁଣକୁ
ଆଣିବ ବୋଲି ମଧୁ ମଳୟକୁ ସାଥୀରେ ଧରି
ଅହେତୁକ ସ୍ବପ୍ନ ଥିଲା ପ୍ରିୟା ପାଇଁ
ମୁକୁଳିତ ହେବ ସହକାର ଶୋଭା ଶିରୀ ଭରି
ଉଲ୍ଲସିତେ ନାଚି ଉଠିବ ପ୍ରାଣର ପୁଲକ
ବସନ୍ତର ପରଶରେ ଆତ୍ମବିଭୋର ହୋଇ
ଗାଇବ କୋଇଲି ପ୍ରୀତିର ପଞ୍ଚମ ରାଗରେ
ସାତ ସ୍ବର ତୋଳି ପ୍ରେମର ସଂଗୀତ
ଐଶ୍ବର୍ଯ୍ୟ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ହେବ ଜୀବନ
ଶୁଣି ତା' ମଧୁର ମୂର୍ଚ୍ଛନାର କୁ କୁ ତାନ
ଅସରନ୍ତି ଅସୁମାରୀ କଳ୍ପନାକୁ ନେଇ
ସୁନେଲି ସ୍ବପ୍ନ ଥିଲା ପ୍ରିୟା ପାଇଁ
ଭାବ ଭାଷା ବିନିମୟର ଭବ ସାଗରରେ
ହୃଦୟଭରା ଭଲ ପାଇବାର ଉର୍ମି
ଖେଳି ଖେଳି ଦୋଳି କରୁଥିଲେ ଅଳି
ମନ ସାଥେ ମନ ମିଶାଇ ଦେଇ
ଆତ୍ମା ସାଥେ ଆତ୍ମା ହେବ ଏକାକାର
ଅକ୍ଷୟ ରହିବ ଭରସା ବିଶ୍ଵାସର ଗନ୍ତାଘର
ପ୍ରେମ ପାରାବାରର ଉତ୍ତାଳ ତରଙ୍ଗସବୁ
ଛୁଉଁଥିଲା ସଫଳତା ପାଇବାର ବେଳାଭୂମି
କାମନାର ସ୍ନିଗ୍ଧ ବାଲୁକା ଶେଯରେ ହୋଇ ମୁଗ୍ଧ
ବସି ଏକା ଏକା ନିସ୍ତବ୍ଧତାର ଏକାନ୍ତରେ
ସେ ସବୁ ରଙ୍ଗୀନ ସ୍ବପ୍ନ ଥିଲା ପ୍ରିୟା ପାଇଁ
ଜହ୍ନରାତିର ଜୋଛନାକୁ ସାଉଁଟୁ ଥିଲି ମୁଠା ମୁଠା
ତନୁଲତାରେ ତା' ବୋଳି ସଜାଇ ଦେଉଥିଲି
ଅଭିସାରିକାର ଋଷି ମନଭୁଲା ବେଶ
ଆଖି ଆଇନାରେ ଅପଲକେ ଚାହିଁ ଚାହିଁ ତାକୁ
ସେ ଆକର୍ଷିତ ନେଉଥିଲା ମୋତେ
କାୟ ମନ ବାକ୍ୟରେ ବଶିକରଣର ମନ୍ତ୍ରରେ
ମଧୁବୋଳା ଓଠେ ତାର ଥିଲା ଫୁଟାଫୁଲର ହସ
ଲହଡି଼ ଭଙ୍ଗା ରୂପ ଯୌବନର ବନ୍ୟାରେ
ଭାସି ବୁଲୁଥିଲି ମୁଁ ତା' ସ୍ରୋତର ଦ୍ରୁତଗତିରେ
ଜୀବନ ତରୀର ମଙ୍ଗକୁ ସଳଖ କରି
କୂଳରେ ଲାଗିବାକୁ ଥିଲା ଅକ୍ଳାନ୍ତ ଉଦ୍ୟମ
ପ୍ରେମ ଉପତ୍ୟକାରେ ପହଞ୍ଚି ଅନାୟାସରେ
ଚାହିଁଥିଲି ଗଢି଼ବାକୁ ଆକାଂକ୍ଷାର ମହଲଟିଏ
ଯେତେ ସାର୍ଥକତା ସ୍ବପ୍ନ ଥିଲା ପ୍ରିୟା ପାଇଁ
ଗଭୀର ରାତ୍ରିର ଗାଢ଼ ନିଦ୍ରା ମୋର
ଭାଙ୍ଗିଗଲା କଡ଼ ଲେଉଟାଇଲା ବେଳେ
ଦେଖୁଥିବା ଯେତେ ମନୋହର ଦୃଶ୍ୟରାଜି
ହଜିଗଲା ସେ ସବୁ ସେ ରାତିର ଘନ ଅନ୍ଧାରରେ
ଖୋଜୁଛି ମୁଁ ସ୍ମୃତିର ପୃଷ୍ଠାକୁ ଓଲଟାଇ
ପରସ୍ତ ପରସ୍ତ ଖୋଲି ଦେଖୁଛି ଯେତେ କିଛି
ସେ ଅବଚେତନ ମନର ସ୍ବପ୍ନ ଥିଲା ପ୍ରିୟା ପାଇଁ ।

