ସ୍ବାଧୀନତାର ସ୍ଵାଦ
ସ୍ବାଧୀନତାର ସ୍ଵାଦ
ତୁହିମା ଜନମ ଭୂମି, ପବିତ୍ର ଭାରତ ଭୂଇଁ
ତୋକୋଳେ ଜନମି ମୁହିଁ,ମଣଇ ଧନ୍ୟ
ତୋ ପବିତ୍ର ପରିସର,ଅଟଇ ସରଗ ମୋର
ସୁନିଲ ସାଗର କରେ,ପଦ ବନ୍ଦନ
ପୂତ ନଦନଦୀ ବକ୍ଷରେ,
ଶୋହେ ବଣ,ପରବତ କି ମନହରେ।୧।
ଅଟୁ ମନ୍ଦିର ମାଳିନୀ, ବିଭବ,ଶସ୍ୟସାଳିନୀ
ସଦା ଶାନ୍ତି ପ୍ରଦାୟିନୀ, ବୀର ଜନନୀ।
କେତେ ବୀର ବିରାଙ୍ଗନା,ଉଡ଼ାଇ ବିଜୟବାନା,
ଯୁଗ ଯୁଗ ପାଇଁ ଯଶ,ରଖି ଅବନୀ।
ଧନ୍ୟ ଜନ୍ମଭୂମି ଭାରତ,
ବ୍ରିଟିଶ୍ ଶାସନ ଠାରୁ ହେଲୁ ମୁକତ।୨। ଜନମିଲେ ତୋକୋଳରେ,କେତେ ଜ୍ଞାନୀଗୁଣୀ ନରେ
ବୈଜ୍ଞାନିକ, କୃଷିବିତ୍, ସୈନିକ ଗଣ
ତୋହରି ସୁରକ୍ଷା ପାଇଁ, ଧନ, ମନ ପ୍ରାଣ ଦେଇ
ଶତ୍ରୁର ଦରପଦଳି, କରିଲେ ଚୂର୍ଣ୍ଣ।
ଜଳ ସ୍ଥଳ ଅନ୍ତରୀକ୍ଷ ରେ,
ଉଡ଼ାଇ ବିଜୟ ବାନା,ମହାକାଶରେ।୩।
ଚିର ଶତ୍ରୁ ପାକିସ୍ଥାନ, ଅବା ବଡ ଶତ୍ରୁ ଚୀନ
ସଦା ଶତ୍ରୁ ଆଚରଣେ, ଥାଆନ୍ତି ମାତି
ସଦା ସନ୍ତ୍ରାସବାଦରେ, ଲିପ୍ତରହି ନିରନ୍ତରେ
ସୀମାନ୍ତରେ,ଉତ୍ତେଜନା କରନ୍ତି ନିତି
ଡୋକଲାମ୍ ସିଆଚିନରେ
ଶହୀଦ ହୋଇ ଅମର, ଯବାନ ବୀରେ।୪।
ସ୍ବାଧୀନତାର ସୁଫଳ, ପାଇନି ଅନେକାଞ୍ଚଳ
ଅନ୍ନ,ବସ୍ତ୍ର,ବାସ ବିନା,ଦୁଃସ୍ତ ଜୀବନ,
ସମାଜେ ନାହିଁ ସମତା, ବଚନରେ ସ୍ଵାଧୀନତା
ବେଳୁବେଳ ବର୍ବରତା,ଦିଏ କଷଣ।
ଧନ ସହ କ୍ଷମତା ବଳ
ବିଚାର ବିଭାଗ ଆମ ଅଟେ ଦୁର୍ବଳ।୫।
ଶିକ୍ଷାର ହେଲେ ପ୍ରସାର, ଅଜ୍ଞାନ ହୋଇବ ଦୂର
ମିଳିବ ଫଳ ପକୃତ ସ୍ବାଧୀନତାର,
ଅଜ୍ଞାନ ଅନ୍ଧାର ନାଶି, ଜ୍ଞାନର ଜ୍ୟୋତି ପ୍ରକାଶି
ସକଳ ସମସ୍ୟା ହେଳେ, ହେବ ଅନ୍ତର।
ମାେ ଦେଶର କୋଣାନୁକୋଣେ,
କେହି ନ ରହିବେ ଆଉ ଅଜ୍ଞାନୀ ଜଣେ।୬।
ଅନୀତି ବିରୁଦ୍ଧ ସ୍ବର, ମିଳି ଉତ୍ତୋଳନ କର
ସକଳ ଦୁର୍ନୀତି ଦୂର, ହେବ ସହଳ।
ସଂଗ୍ରାମୀଙ୍କ ମୂଳମନ୍ତ୍ର, ପାଥେୟ କରି ତୁରିତ
ଦୁର୍ନୀତିର ମୂଳପୋଛ,କର ସହଳ।
ଜାଗ ଦେଶବାସୀ ସକଳ
ଦୁର୍ନୀତି ହଟିଲେ ହେବ ସର୍ବମଙ୍ଗଳ।୭।
ଦେଶର ହେଲେ ପ୍ରଗତି, ସକଳ କ୍ଷେତ୍ରେ ଉନ୍ନତି
ଅଚିରେ ପରିଲକ୍ଷିତ, ହେବ ନିଶ୍ଚିତ,
ବହୁ ଜାତି,ଧର୍ମ ବର୍ଣ୍ଣ, ନିର୍ବିଶେଷରେ ସମ୍ମାନ
ପାଇ ଉନ୍ନତ ରାଷ୍ଟ୍ରରେ,ହେବ ଗଣିତ।
ମିଳି ମିଶି ଚଳ ସକଳ
ଦେଶର ହେବ ଉନ୍ନତି, ହେବ ମଙ୍ଗଳ।୮।
