STORYMIRROR

Tafizul hussain

Classics

4  

Tafizul hussain

Classics

ସୌଦାଗର

ସୌଦାଗର

1 min
216


ଆକାଶରୁ ମେଞ୍ଚାଏ ତାରାଫୁଲ ତୋଳି ଆଣିଛ ପରା

ହେଉ, ଚାଲିଆସ

ଥୋଇ ଦିଅ ସେ ମରେଇ ଉପରେ 

ଯେଉଁଠି ସେ ଭଙ୍ଗା ଡିବିରି ଥୁଆ ହୋଇଛି 

ବେଶି କିଛି ଭାବନି

ତୁମ ମହଲଠୁ ମଧ୍ୟ ଏଠି ସେ ବେଶି ସୁରକ୍ଷିତ 

ଆସ, ଥୁଆ ହୋଇଥିବା ସେଇ

କାଠର ମେଜ ଉପରେ ବସିଯାଅ

ଏତେ ଭାବୁଛ କ'ଣ 

ତାହା କୌଣସି ରାଜ ସିଂହାସନରୁ କମ ନୁହେଁ 

ଆଶ୍ଚର୍ଯ୍ୟ ହେବାର କିଛି ନାହିଁ 

ଏମିତି ଅନେକ ଏଠାକୁ ଆସନ୍ତି ସୌଦାଗର 

ପୁଟୁଳି ଭରି ସ୍ବପ୍ନ ନେଇ 

ବଣିଜ ସାରି ଫେରିବା ବେଳେ

ଅବଶ୍ୟ ସେମାନେ ଆଉ ସୌଦାଗର ନଥାନ୍ତି 

ସେମାନଙ୍କ ଆଖିରେ ଚମକ ଥାଏ

ଠିକ୍ ତୁମେ ଆଣିଥିବା ତାରାର ଆଲୋକ ଭଳି 

ହଁ, କଣ ସଉଦା କରିବାକୁ ଚାହଁ ତୁମେ 

ଲୁହର, କୋହର, ଯନ୍ତ୍ରଣାର, ଯାତନାର ନା

ଏ କାଙ୍ଗାଳ ମଣିଷ ନିକଟରେ ଥିବା ଦମ୍ଭର

ହଁ ମୁଁ ବିକ୍ରି କରିବା ପାଇଁ ପ୍ରସ୍ତୁତ 

ଯଦି ତୁମେ ଇଚ୍ଛା ପ୍ରକାଶ କର

ବିନା ମୂଲ୍ୟରେ ସବୁକିଛି ଅର୍ପଣ କରିବି

ଯାହା ମୋ ନିକଟରେ ଅଛି

ବୋହିବା ପାଇଁ ଯଦି ହୃଦୟରେ ସାମର୍ଥ୍ୟ ଅଛି 

ତେବେ ନେଇଯାଅ ମୋର ଦମ୍ଭ କୁ

ରାସ୍ତା କଡ଼ରେ ଯିଏ ଇନ୍ଦ୍ର ଭୁବନର ସୁଖ ସାଉଁଟି ପାରେ

ଭୋକିଲା ପେଟରେ ଅହରହ 

ଜୀବନ ଗୀତ ଶୁଣାଇ ପାରେ

ମରୁଡ଼ିର କରାଳ ଗର୍ଜନ ରେ ଲୁହର ବୃଷ୍ଟି କରିପାରେ 

ବାରମ୍ବାର ପରାସ୍ତ ହୋଇ ମଧ୍ୟ 

ମରୁଭୂମିର ତତଲା ବାଲିରେ 

ଘର ଟିଏ ତୋଳିପାରେ 

ଚାଳରେ ଥିବା ଫାଙ୍କରୁ ଜହ୍ନ ସହ

ପ୍ରେମାଳାପ କରି ଆନନ୍ଦିତ ହୋଇପାରେ 

ଏମିତି ମହଣ ମହଣ ଅଭିଜ୍ଞତା ଆଗରେ 

ଏଇ ତାରାଫୁଲ ଚମକର ମୂଲ୍ୟ ବା କେତେ 

ହେ, ସୌଦାଗର ପାରିବ ଯଦି ନେଇଯାଅ 

ମୁକ୍ତ ହସ୍ତରେ ସବୁକିଛି ତୁମକୁ ଦାନ କରୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics