STORYMIRROR

RAKHAL CHANDRA SWAIN

Inspirational

4  

RAKHAL CHANDRA SWAIN

Inspirational

ସାଉଁଟା ସ୍ମୁତି

ସାଉଁଟା ସ୍ମୁତି

2 mins
379

ମିଛ ବୋଲି କେହି କହିପାର ଭାଇ,

        ମୋ ପାଇଁ ସ୍ମୃତି ଏ ଚିର ଅଭୁଲା

ପଢ଼ୁଥିଲି ଯେବେ,ମହା ବିଦ୍ୟାଳୟେ,

          ଦ୍ଵିତୀୟ ବର୍ଷର ସ୍ନାତକ କଳା।


ରହିଥିଲି ଯେଉଁ ଛାତ୍ରାବାସେ, ତହିଁ,

        ପାଶେ ଥିଲା ଏକ ବଡ଼ ପୋଖରୀ

ଲମ୍ବରୁ ଯେମିତି,ଓସାର ସେମିତି,

        ଗଭୀରତା କେହି ପାରେ ନାଁ କଳି।


ଏ ପଟୁ ସେ ପଟ ଆଖି ପାଇବ ନି,

        ଚାରି ପଟେ ତା'ର ଚାରିଟି ତୁଠ

ଗାଧୁଆ ପାଧୁଆ କରନ୍ତି ସମସ୍ତେ,

       କାଚ କେନ୍ଦୁ ପରି ପାଣି ତା ସ୍ବଚ୍ଛ।


ଇଚ୍ଛା ହୁଏ ଭାରି, ପହଁରି ପହଁରି,

     ପାରି ହେବାକୁ ସେ ବଡ ପୋଖରୀ

ହେଲେ ତ ମନରେ ସାହସ ଯୁଟେନି,

         ତା' ଭରା ଅଥଳ ଜଳକୁ ଡରି।


କି ଦୁର୍ଯୋଗ ଥିଲା ସେ ଦିନ କେଜାଣି,

        ସକାଳୁ ଚାଲିଲି, ପୋଖରୀ କୂଳେ

ପହଁରିବା ମଜା ନେବି ବୋଲି ଭାବି,

       ଡେଇଁ ପଡିଲି ସେ ପୋଖରୀ ଜଳେ।


ମଝିରେ ପହଞ୍ଚି ଲାଗିଲା ଯେମିତି,

       ବଢ଼ି ଯାଉଛି ସେ ପୋଖରୀ ଗଡ଼

କୂଳେ ଠିଆ ହୋଇ, ଦେଖୁଥିଲି ଯେତେ,

      ମଝିରେ ଲାଗିଲା ଆହୁରି ବଡ଼।


ପହଁରି ପହଁରି ହୋଇଲି ଅବସ,

     ଦେହରେ ନ ଥିଲା ଟିକିଏ ବଳ

ମନରେ ଜାଗିଲା ପ୍ରଶ୍ନ ଅସୁମାରୀ,

      ଛୁଇଁବି ନି କି ଏ ପୋଖରୀ କୂଳ ।


କାହିଁକି ଏମିତି କଲି ଦୁଃସାହସ,

      ହରାଇବି ନିଶ୍ଚେ ଆଜି ମୋ ପ୍ରାଣ

ପୁଣି ଠୁଳ କରି ନୂତନ ସାହସ,

      ଭଙ୍ଗା ମନକୁ ମୋ କରିଲି ଟାଣ।


ମନ ଦେହ ସଙ୍ଗେ ଯୁଝି ଯୁଝି ଶେଷେ,

        ହାରିଗଲା ମୋର ଦୁର୍ବଳ ଦେହ

ଜାଣିଲି ଆଗକୁ ଯିବା ଅସମ୍ଭବ,

       ଜଳ ସମାଧି ମୋ ହେଲା ନିଶ୍ଚୟ।


ପୁଣି ଭାବୁଥାଏ,ପକାଇବି ହୁରି,

       " ବଞ୍ଚାଅ ବଞ୍ଚାଅ, ଯାଉଛି ବୁଡ଼ି

ହାତ ପାତିବା ଟା ଭଲ କଥା ନୁହଁ,

    ସ୍ଵାଭିମାନୀ ମନ ଦେଲା ବିଗାଡି।


ନିଜେ ଲଢିବାକୁ ନିଷ୍ପତ୍ତି ନେଲି ମୁଁ,

      ବଞ୍ଚିବାକୁ କଲି ଶେଷ ସଂଘର୍ଷ

ସବୁ ଚେଷ୍ଟା ମୋର ହୋଇଲା ବିଫଳ,

      ଜାଣିଲି ଛାଡିବି ଶେଷ ନିଃଶ୍ବାସ।


ଅବସ ଦେହ ମୋ ବୁଡ଼ି ବୁଡ଼ି ଗଲା,

       ଧରିଗଲି ଯେବେ ପୋଖରୀ ତଳ

ପାଦ ତଳେ ଥାପି, ଉପରକୁ ଉଠି,

       ଦେଖିଲି ଛୁଉଁଛି ବେକକୁ ଜଳ।


ଜୀବନ ପଶିଲା,ଦେହ ଥରୁଥିଲା,

     ଠାକୁର ଙ୍କୁ କଲି ଲକ୍ଷେ ପ୍ରଣାମ

ବଞ୍ଚିଗଲି ବୋଲି ନିଶ୍ଚିତ ହୋଇଲି,

     ପାଇଲି ସେ ଦିନ, ନୂଆ ଜନମ।


ଧୀରେ ଧୀରେ ଚାଲି ଆଗକୁ ବଢିଲି,

     ପାଖ ହେଲା ଯେବେ ପୋଖରୀ କୂଳ

ଆଉ ଅଳ୍ପ ଦୂର ପହଁରି ପହଁରି,

      ପାରି ହୋଇଗଲି ପୋଖରୀ ଜଳ।


ଶିଖିଲି ସେ ଦିନୁ,ଯାହା ବି କରିବି,

     ଶହେ ଥର ଭାବି,ନେବି ନିଷ୍ପତ୍ତି

ଯେତିକି ପାରିବି, ସେତିକି କରିବି,

     ଆସିବ ନି ଆଉ ଏତେ ବିପତ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational