ସାତସୁରେ ବନ୍ଧା ଏ ଜୀବନ
ସାତସୁରେ ବନ୍ଧା ଏ ଜୀବନ
ସୃଷ୍ଟିର ଆଧାର ଲୟ ରସ ତାଳ
ଏ ଜଗତ ନାଦାତ୍ମକ
ଗୁଣ ଦେବଦତ୍ତ ସମ୍ମୋହେ ସଙ୍ଗୀତ
ପ୍ରାଣକୁ ଦିଅଇ ସୁଖ ।
ଧ୍ୱନିର ମଞ୍ଜରୀ ସୃଜିପାରେ ଅଗ୍ନି
ବରଷେ ବୃଷ୍ଟିର ଧାରା
କରେ ଉପଶମ ଶୁଦ୍ଧ ରାଗାର୍ଣବ
ଆଧିବ୍ୟାଧି ରୋଗପୀଡା ।
ବିଷଧର ସର୍ପ ନିସର୍ଗି ବିଳରୁ
ରାଗ ଶୁଣି ହୁଏ ସ୍ଥିର
ମୋହିତ ହୁଅନ୍ତି ପଶୁ ଶିଶୁ ମୃଗ
ଶୁଣି ସ୍ୱର ସୁମଧୁର ।
ଷଡ଼ଜ ମୟୂର ଋଷଭ ବୃଷଭ
ଗାନ୍ଧାର ଛାଗଳ ସ୍ୱର
ପଞ୍ଚମା କୋକିଳ ଧୈବତ ନିଷାଦ
ମଧ୍ୟମା ସ୍ୱନ କ୍ରୈ।
ଞ୍ଚର ।
ପ୍ରତୀକ କେବଳ ଅଟେ ସପ୍ତସ୍ୱର
ସୃଜଇ ସଙ୍ଗୀତ ରାଗ
ସାରେଗାମା ପାଧା ନି ସମୁଚ୍ଚାରେ
ଭାବ ପ୍ରେମ ଉଦଭବ ।
ନାଦ 'ସା' କ୍ଷର ସାଗର ସମାନ
ଘଟସୂତ୍ର ପ୍ରଜାପତି
'ରେ'ଅର୍ଥ ରେତ ମୃତ୍ତିକା ଉର୍ବରା
ଦେବତା ଅଗ୍ନି ଅଟନ୍ତି ।
ଗଗନେ ପବନେ 'ଗା'ଧ୍ୱନି ସଞ୍ଚରେ
ବିଚରଣ କରେ ପକ୍ଷୀ
ସବୁଜ ସୁନ୍ଦର ସୃଜଇ ଅମୃତ
ଯୋଗାଏ ଜୀବନୀ ଶକ୍ତି ।
'ମା' ଅଟେ ମାନବ ବୁଦ୍ଧିମାନ ଶ୍ରେଷ୍ଠ
'ପା' ଧ୍ୱନି ପରାକ୍ରମ
ଧର୍ମବଳ 'ଧା' ଦେବତା କୁବେର
'ନି' ଯମ ଓ ନୀୟମ ।
ସାତସୁରେ ବନ୍ଧା ଅଟେ ଏ ଜୀବନ
ଉନ୍ମେଷେ ଦିବ୍ୟ ଚୈତନ୍ୟ
ସାଧନା ବଳରେ ଆୟତ୍ତେ ମାନବ
ଭବ୍ୟ ଗୁଣ ଆକର୍ଷଣ ।
