ସାତରଙ୍ଗ ନେଇ ଆସିଛି ହୋଲି
ସାତରଙ୍ଗ ନେଇ ଆସିଛି ହୋଲି
ଋତୁରାଜ ବସନ୍ତ ପ୍ରକୃତିରେ ଆସକ୍ତ
ଚାରିଆଡେ ବାଇଗଣୀ ପରସ୍ତ
ଫଗୁଣ ବି କମ ନୁହେଁ କିଛି
ଘନନୀଳ ନେଇ ଆଞ୍ଜୁଳେ ଆସିଛି
ଲୁଚିଛପି ଶରତ ନୀଳରେ ଭିଜୁଛି
ନୀଳକଇଁ କହେ ରଙ୍ଗ ନେଇଗଲା କେହି
ଚାନ୍ଦ ଉଇଁଲେ ପଚାରିବ ଉଛୁର ହେଉଛି
ଫୁଲବନେ ସବୁଜ ଘାସ ଗାଲିଚା ଉପରେ
ମଳୟ ହଳଦିଆ ପବନରେ ରଙ୍ଗୀନ ଲାଗୁଛି
ସବୁଆଡେ ହଳଦିଆ ହଳଦିଆ
ବସନ୍ତ ଆସିଛି ମନ ହୁଏ ଦିଆନିଆ
ନାରଙ୍ଗି ନାରଙ୍ଗି ଓଠେ ଫୁଲ ଫଳ ବାସ୍ନା ଛୁଟେ
ରାଧା ଗୋବିନ୍ଦଙ୍କ ବିମାନ ଆସୁଛି
ଚଗଲି ନହୁଲି ବୟସୀ ଅଳସୀ ହୋଲି ଆସିଛି
ଲାଲ ଲାଲ ଫୁଲେ ଫଗୁଣ ଫଗୁରେ
ଶ୍ରୀମାନ୍ତିନୀ ମଥା ଗଭା ସୁନ୍ଦର ଦିଶୁଛି
କଳସୀ ହାତରେ ଧରି ବିଶାଖା ଲଳିତା ଗୋରୀ
ଧରି ପିଚକାରୀ ଯମୁନା ପାଣିରେ
ସାରେଗାମାପାଧାନିଶା ସାତରଙ୍ଗ ଜୁଆର ଉଠିଛି
ରାଧା ସଙ୍ଗେ କୃଷ୍ଣ ସାତରଙ୍ଗେ ମନ ହଜିଛି
ହୋଲିର ପ୍ରେମରଙ୍ଗ ସାତଫେରି ଫଗୁଣରେ
ସ୍ବର୍ଗୀୟ ପ୍ରେମର ସାତରଙ୍ଗ ପବନେ ଉଡୁଛି
କୋଇଲିଟା ଲୁଚି ଲୁଚି ଅଳସ ଭାଙ୍ଗୁଛି
ମଳୟଟା ଧୀରେ ଧୀରେ ସମୀର ବାହୁଛି
ହୋଲିରେ ସଜୀଵରୂପୀ ମଣିଷମାନେ
ଜୈବିକ ସାତରଙ୍ଗ ପ୍ରକୃତିରୁ ଖୋଜି ବାହାରିଛି
ହୋଲି କିଛି ଶିଖାଇ କିଛି ଶିଖି ବି ଯାଇଛି
ଜଗା ମାରନ୍ତି ଆଖି ଏବେବି ରାଧିକା ସଖି
ଗୋପରେ ହୋଲି ହାତେ ସାତରଙ୍ଗ ସାଥେ
କୁଞ୍ଜ ବନେ ଅପେକ୍ଷାରେ ଅଛି
ବସନ୍ତରେ ସୁନାଗୋରୀ ପତର ଲେଖିଛି ଚିରି
ସାତରଙ୍ଗ ପରକଲମରୁ କାଲିରେ ପ୍ରେମରେ
ଜଗା ଛଡା କିଏ ବା ଜାଣୁଛି
ଗୋପର ସେଦିନ ଭାବି ଚକାଆଖି
ଗୁମୁଟ ଦେଇଛି କିଳି ଲଷ୍ମୀ କାଳେ ଯିବେ କଳି
ଛାତିରେ ସେଦିନର ସାତରଙ୍ଗ ଆଜି ଆଖିରେ
କଳାକାହ୍ନୁ ଗୋପ ବିନୁ ପୁରୀ ଦାଣ୍ଡେ ରଥ ଗଡା଼ଉଛି
ସାତଫେରି ରଙ୍ଗ ଦେଖି ହୋଲିରେ ଅବୀର ମାଖି
କିଏ ସୁଖୀ କିଏ ଦୁଃଖୀ କିଏବା ଜାଣୁଛି ।