ସାଥୀ
ସାଥୀ
ସାଥୀ ବିନା ଏଠି କିଏ ବା ବଞ୍ଚିଛି
ଜୀବନରେ ସୁଖ ପାଇ,
ସାଥୀ ହାତ ଧରି ବାଟ ଚାଲୁଥିଲେ
ଶ୍ରମ ଲାଘବ ହୁଅଇ।
ସାଥୀ ବୁଝେ ସିନା ଅନ୍ତର ବେଦନା
ସାଥୀଟିଏ ପ୍ରାଣ ସଖା,
ସାଥୀ ବିନା ଏଠି ଫାଙ୍କା ଜୀବନଟି
ଲାଗୁଥାଏ ଏକାଏକା।
ସାଥୀ ହାତ ଅଟେ ଆଶ୍ରା ବାଡି ସତେ
ସାଥୀ ନିରାଶ୍ରାର ବନ୍ଧୁ,
ସାଥୀ ଥିଲେ ସଙ୍ଗ ଅଚିରେ ସମ୍ଭବ
ଲଂଙ୍ଘିବାକୁ ସପ୍ତସିନ୍ଧୁ।
ବେଙ୍ଗର ସାଥୀଟି ପୁଣି ବେଙ୍ଗୁଲୀଟି
ଟୁଆଁର ସାଥୀଟି ଟୁଇଁ,
ପକ୍ଷୀଟିର ସାଥୀ ଅଟେ ବୃକ୍ଷଗୋଟି
ସାଗରର ସାଥୀ ନଈ।
କଳା ଭଅଁରଟି ଫୁଲଟିର ସାଥୀ
ଦେହର ସାଥୀଟି ଛାଇ,
ମଦୁଆର ସାଥୀ ମଦ ବୋତଲଟି
ଭଉଣୀର ସାଥୀ ଭାଇ ।
ସଜନୀର ସାଥୀ ନିରୋଳା ରଜନୀ
ଚୋରର ଅନ୍ଧାର ରାତି,
ଫଗୁଣର ସାଥୀ ମୃଦୁ ମଳୟଟି
ପ୍ରଣୟର ସାଥୀ ପ୍ରୀତି।
ରସିକ ନାଗର ସାଥୀ ପ୍ରେମିକାର
ଆଖିର ସାଥୀ ସପନ,
ବାରାଙ୍ଗନା ଏଠି ଖୋଜୁଥାଏ ସାଥୀ
ବିକିବାକୁ ତା'ର ମନ।
ନିରିମାଖୀ କଇଁ ଜହ୍ନକୁ ମାଗଇ
ପ୍ରେମ ପ୍ରଣୟ ଚାନ୍ଦିନୀ,
ମେଘଟି ଖୋଜୁଛି ଆକାଶର ଛାତି
ବରଷି ଯିବାକୁ ପାଣି।
ପତିବ୍ରତା ନାରୀ ସିନ୍ଦୂର ତା'ସାଥୀ
ପୁରୁଷର ପୁରୁଷାର୍ଥ,
ଦୁଷ୍ଟ ପିଲାଟିର ଚଗଲାମି ସାଥୀ
ଉତ୍ତମ ଛାତ୍ରର ପାଠ।
ସମୟର ସାଥୀ ଅଭୁଲା ସ୍ମୃତିଟି
ଦିନ ସାଥୀ ଦିବାକର,
ଗାୟକର ସାଥୀ ଭାବ ସଙ୍ଗୀତଟି
ତୋଳୁଥାଏ ସାତ ସୁର।
କଳାକାର ସାଥୀ ପରା ଦର୍ଶକଟି
କବିର ସାଥୀ କବିତା,
କାଗଜର ସାଥୀ ପୁଣି କଲମଟି
ଭାବନାର ସାଥୀ କଥା।
ପଣ୍ଡିତ ଜନଙ୍କ ଜୀବନର ସାଥୀ
ଜ୍ଞାନ ଭାଗବତ ଗୀତା,
ସର୍ବହରା ସାଥୀ ତା' ଭଙ୍ଗା ଚାଳିଟି
ଭାଗ୍ୟର ସାଥୀ ବିଧାତା।
ଶ୍ରୀକୃଷ୍ଣଙ୍କ ସାଥୀ ସୁଦାମା ଅଟନ୍ତି
ସୁଗ୍ରୀବଙ୍କ ସାଥୀ ରାମ,
ସାଥୀ ଶବ୍ଦଟିଏ ମୂଲ୍ୟବାନ ଅତି
ଅତୁଟ ସମ୍ପର୍କ ପ୍ରେମ।
ରାମନାମ ଜୀବନର ଶେଷ ସାଥୀ
ଭକ୍ତ ସାଥୀ ରଘୁପତି,
ପାଠକ ମାନେ ମୋ ଜୀବନର ସାଥୀ
କହଇ ମୂର୍ଖ ଅପର୍ତ୍ତି।
