ସାପୁଆ କେଳା
ସାପୁଆ କେଳା
ଡମ ଡମ ଡମ ଡମ ଡମ୍ବରୁ ବାଜିଲା l
ସାପୁଆକେଳା ବୋଲୁଛି ଦାଣ୍ଡେ ପଦ୍ମତୋଳା ll
କଂସର ଘରଣୀ କଲା ଓଷା ଧନେନ୍ତରୀ l
କହ୍ନାଇ ଦେବୁରେ ପଦ୍ମ ଲକ୍ଷେ ଭାର ଭରି ll
ଶ୍ୱେତ ପଦ୍ମ ରକ୍ତ ପଦ୍ମ ଦେବୁ ନନ୍ଦ ସୂତ l
ପାଖୁଡା ତହିଁରେ ମିଶି ନଥିବ କିଞ୍ଚିତ ll
ଆରଡ଼ିରୁ ଆସିଛି ମୋ ନାମ ଆଖଣ୍ଡଳ l
କରିବି ମୁଁ ଜାତି ଜାତି ସର୍ପଙ୍କର ଖେଳ ll
ବସନ ମୁଁ ପିନ୍ଧେ ନାହଁ ଯେଣୁ ଦିଗମ୍ବର l
ଭସ୍ମ ମୋହର ଭୂଷଣ ଶ୍ମଶାନରେ ଘର ll
ବେକରେ ଲମ୍ବଇ ମୋର ସର୍ପ ମାଳମାଳ l
ଆୟୁଧ ମୋ ଦେଖ ଏହି ସୁତୀକ୍ଷ୍ଣ ତ୍ରିଶୂଳ ll
ନାଗ ଯେ ଗୋଖର ପୁଣି ସର୍ପରାଜ ଅହି l
ପେଡ଼ିରେ ଆଣିଛି ବୋହି ଖେଳାଇବି ମୁହିଁ ll
ସଙ୍ଗରେ ଆଣିଛି ପୁଣି ଗଦ ଡେଉଁରିଆ l
ଦେଖ ସର୍ପଙ୍କୁ କରିଛି କେମିତି କିମିଆ ll
ପଦ୍ମତୋଳା ବଜାଉଛି ବାଦ୍ୟ ନାଗେଶ୍ୱରୀ l
ଚକ୍ଷୁଶ୍ରବେ ଖେଳୁଛନ୍ତି ମନ୍ତ୍ର ମୁଗ୍ଧ ପରି ll
ନମ ନମ କେଳାପୁଅ ନମଃ ଦେବ ହର l
ଚିହ୍ନି ନପାରିଲୁ ଆମ୍ଭ ଦୋଷ କ୍ଷମା କର ll
ନମଃ ନମଃ ସଦାଶିବ ନମଃ ଵିଷହର l
ତ୍ରିତାପ ଦହନେ ପ୍ରଭୁ ଅଜ୍ଞାନତା ହର ll
ବିଷୟା ବିଷକୁ ତଵ ପାଶେ ଅଛି ଗଦ l
ତଵ ନାମ ଭଜନରେ ନଲାଗେ ପ୍ରମାଦ ll
ନମସ୍ତୁତେ ନୀଳକଣ୍ଠ ହଳାହଳ ପାୟୀ l
ପାଦେ ପଶୁଛୁ ଶରଣ ସଙ୍ଗେ ମହାମାୟୀ ll