ପ୍ରତ୍ୟାବର୍ତ୍ତନ
ପ୍ରତ୍ୟାବର୍ତ୍ତନ
ଜୀବନର ଗଛ ବେଳେବେଳେ
ପତ୍ରଝଡା ଦିଏ
ସମୟର ସ୍ରୋତରେ ସେ
ଥୁଣ୍ଟା ବି ପାଲଟେ
ଶ୍ରୀହୀନ ତା କଳେବର
ହରାଏ ସେ ନିଜର ସ୍ଵାତନ୍ତ୍ର୍ୟ
କେତେ ଦୁଃଖ ସହେ ହାୟ
ବିନା ଅପରାଧେ...
ନିଜକୁ ସେ ପ୍ରଶ୍ନ କରେ ନିଜ ଅସ୍ତିତ୍ଵର
ତା' ମନର ବେଦନାକୁ
ଛାତିରେ ତା ଚାପି
ତା ମନରେ କେବେ କ'ଣ ଊଙ୍କିମାରେ
ନିଜକୁ ନିଃଶେଷ କରିବାର
କଦର୍ଯ୍ୟ ଭାବନା ?
ନା,ସିଏ ଠିଆ ହୋଇଥାଏ
ଅଟଳ ଅଚଳ
ତା'କୁ ବଞ୍ଚିବାକୁ ହୁଏ ପୁଣି
ଆଗାମୀ କାଲିର ଆଶା ନେଇ
ସେ ପୁଣି ସ୍ଵପ୍ନ ଦେଖେ
ମୁଦ୍ରିତ ଆଖିରେ...
ସମୟ ବାହୁଡେ ପୁଣି !
ମଳୟର ସ୍ପର୍ଶ ପାଇ
ଗଛରେ ନୂଆ ପତ୍ର ଆସେ,
କିଛିଦିନ ତଳର ସେ ଥୁଣ୍ଟା ଗଛଟା
ଆଜି ପୁଣି ଶୋଭାପାଏ
ଆତ୍ମବିଶ୍ୱାସରେ।
ମୁଁ କି ତୁମେ ହୁଅ
ହେଉ ଅବା ଅନ୍ୟ କେହି
ତୃତୀୟ ପୁରୁଷ;
ସଭିଏଁ ଦଣ୍ଡାୟମାନ
ଠିକ୍ ସେଇ ଗଛ ଭଳି,
କାଳର ଗତିରେ
ସୁଖ ଆଉ ଦୁଃଖ
ଆସିବ-ଯିବ ବି...