କୃପାକର କୃପାମୟୀ
କୃପାକର କୃପାମୟୀ


ମାଆ ନାମ ଯେଉଁ ଦୁଇଟି ଅକ୍ଷର
ଜଗତେ ଦୁର୍ଲ୍ଲଭ ସେହି l
ମାଆର ଚରଣ ଭଜିଲେରେ ମନ
ଚତୁର୍ବର୍ଗ ଫଳ ପାଇ ll
ମାଆ ଜନ୍ମଦାତ୍ରୀ ମାଆ ଜଗଦ୍ଧାତ୍ରୀ
ତାପରି ଆଉ କେ ନାହିଁ l
ସନ୍ତାନ କଷଣ ଦେଖିଲେରେ ମନ
ନେତ୍ରୁ ନୀର ବହୁଥାଇ ll
ସେହି ମା ବିରଜା ବିମଳା ଗିରିଜା
ନାମେ ଯା ଧ୍ଵଜା ଉଡ଼ଇ l
ଆପଦେ ବିପଦେ ଶରଣ ତା ପଦେ
ଧ୍ୟାନ ମୋର ରହିଥାଇ ll
ଜଗତ ଦେଖିଲି ଜଠରେ ତାହାର
ଦଶମାସ ଗର୍ଭ ରହି l
କରୁଣାମୟୀ ମୋ ମାଆ ବଢ଼ାଇଲା
ବକ୍ଷର ଅମୃତ ପେଇ ll
ମାଆକୋଳ ମୋର ଅଭୟ ଆଶ୍ରୟ
ଆଶ୍ରା ତା ପଣତ ଛାଇ l
ମାଆ ମାହେଶ୍ୱରୀ ପରମ ଇଶ୍ୱରୀ
ଅମ୍ବିକା କାଳିକା ସେହି ll
ଇତିହାସେ କଥା ଶିବା
ଜୀ ମରାଠା
ମାଆ ତାଙ୍କ ଜୀଜାବାଈ l
ମାତୃ କୃପା ବଳେ ଜଗତ ଜିଣିଲେ
ଭବାନୀ କୃପାଣ ପାଇ ll
ମାଆ ନାମ ସାର ଏ ଭବ ସାଗର
ନାବ ପାରିହେବା ପାଇଁ l
ମାତୃନାମ ଭେଳା କରରେ ପାଗଳା
ସଂସାର ଜିତିବୁ ତୁହି ll
ମାଆ ମୋ ମଙ୍ଗଳା ସନ୍ତାନ ବତ୍ସଳା
ମଙ୍ଗଳେ ମଙ୍ଗଳମୟୀ l
ମାତୃକୃପା ଭିକ୍ଷା କରରେ ତୁ ଦୀକ୍ଷା
ବଡ଼ ଆଉ କିଛି ନାହିଁ ll
ଭୀଷଣ କାନ୍ତାରେ ଭବ ପାରାଵାରେ
ଅନ୍ଧକାରେ ବୁଲୁ ଥାଇ l
ମାଆଲୋ ଦୟୀନୀ ତୁହି ନାରାୟଣୀ
ସୁପଥ ଦେବୁ ଦେଖାଇ ll
ମାଆ ତୋ କରୁଣା ନ କରିବୁ ଉଣା
ଚରଣ ବନ୍ଦଇ ମୁହିଁ l
ମୁଢ଼ ଅକୀଞ୍ଚନେ ମୁରୁଖ ଅଜ୍ଞାନେ
କୃପାକର କୃପାମୟୀ ll