ସାପ ଶିଡି
ସାପ ଶିଡି
ରାମ ଓ ଲକ୍ଷ୍ମଣ ପ୍ରିୟ ଦୁଇ ଭାଇ
ଖେଳୁଛନ୍ତି ସାପଶିଡି
ଆରମ୍ଭ ହେଉଛି ପୁଉଟୁ ଦାନରୁ
ପାରିଛନ୍ତି ଚକାମୁଠି ।
ସବୁଜ ଦାନଟି ଅଟେ ରାମଙ୍କର
ନାମ ହେଉଛି ଜୀବନ
ଲକ୍ଷ୍ମଣ ଚଳାନ୍ତି ନାଲିଆ ଦାନଟି
ନାମ ସଙ୍କଟ ମୋଚନ ।
ଗୋଟି ଯାଏ ଗଡି ଶିଡି ଚଢ଼ି ଚଢ଼ି
ଚଢେ ଉପରକୁ ଦାନ
ଗିଳି ଦିଏ ସାପ ତଳେଛାଡେ ଲାଞ୍ଜ
ଲଢନ୍ତି ରାମ ଲକ୍ଷ୍ମଣ ।
ବାହାରେ ଶୁଭିଲା ଘଣ୍ଟି ଟଙ୍ଗଟଙ୍ଗ
ଚନାଚୂର ବାରମଜା
କାନ୍ଦିଲା ଭଉଣୀ ସୀତା ଅଝଟେଇ
କରିବାକୁ ପେଟପୂଜା ।
ରାମ କହିଗଲେ ବସିଥା ବାବୁରେ
ଆସୁଛି ମୁଁ ଅବିଳମ୍ବେ
ସୁନାର ହରିଣୀ ଗରମ ଗରମ
ଭଲା ଆସିଗଲା ଏବେ ।
ସାଇକେଲଚଢି ଫେରିବାଲା ଭାଇ
ଯାଇଛି ଆଗକୁ ମାଡି
ଦଉଡନ୍ତି ରାମ ପଛରେ ତାହାର
ହୋଇଗଲା ଟିକେ ଡେରି ।
ସୀତା ପହଞ୍ଚିଲା ଲକ୍ଷ୍ମଣ ପାରୁଶେ
କହିଲା ବେଏଗି ଚଳ
ନୋହିଲେ ଏଇନେ ଭାଙ୍ଗି ଦେବି ସବୁ
ମଜା ସୁଆଙ୍ଗର ଖେଳ ।
ବାବୁ ଲଇଖଣ ପ୍ରବଳ ପ୍ରତାପ
କାଟିଦେଲେ ତିନିଗାର
ଏଠାବୁ ଉଠିକି ଯିବୁନି ସୁନାଟା
ବାକି ଅଛି ବାଜି ଖେଳ ।
ରାମଲଇଖଣ ରାଗବାଗ ପାଗି
କିଣୁଥିଲେ ବାରମଜା
ଏତିକି ବେଳକୁ କୁଆଡୁ ଆସିଲା
ଉଡ଼ି କୁଜି ଅସରପା ।
ସୀତାର ଆଗରେ ନିଶକୁ ହଲାଇ
କରିଲା ସେ ଦଣ୍ଡ ନୃତ୍ୟ
ସୀତା ଧାବମାନ ଅସରପା ଭୟେ
ଦେହ ମୁଣ୍ଡ ସନ୍ନିପାତ ।
ରାମ ଓଲକ୍ଷ୍ମଣ ଘରକୁ ଫେରିଲେ
ଦେଖିଲେ ପ୍ରାଙ୍ଗଣ ଧ୍ୱସ୍ତ
ସୀତା ଅନ୍ତର୍ଦ୍ଧାନ ଶୁଭୁଛିରୋଦନ
ଛାଡ଼ିଦେ ମୋତେ ଦୁଷ୍ଟ ।
ମୁହଁ ଲୁଚେଇଚି ସୁଁ ସୁଁ କାନ୍ଦୁଚି
ଅସରପାର ଛେରେଇ
ଲଙ୍କା ବିପର୍ଯ୍ୟସ୍ତ ମୁଣ୍ଡ ଚକ୍ରବାତ
ଗୋଟିଦାନା ମିଳେନାହିଁ ।
ଜୀବନ ମରଣ ଖେଳଲୁଚକାଳି
ଘୋଟିଯାଏ ମହାମାରୀ
ଯୁଗପରେ ଯୁଗ ବିତିଯାଏ ସିନା
ସରେ ନାହିଁ ସାପଶିଡି ।
ଜଳୁଛି ପିତୁଳା ମରୁନି ରାବଣ
ଖେଳ ହେଉଅଛି କାଳ
ହାତୀ ଗଳିଯାଏ ପିମ୍ପୁଡ଼ି ଗଳେନା
ତିଳକଣ ହୁଏ ତାଳ ।
