ସାଇତି ରଖିଛି ତୁମ ସେ ଚିଠି
ସାଇତି ରଖିଛି ତୁମ ସେ ଚିଠି
ଭଲ ପାଇବାର ସ୍ମୃତି ସଉଧରେ
ସାଇତି ରଖିଛି ତୁମ ସେ ଚିଠି
ଥିଲା ଆମ ପ୍ରେମ କେତେ ମଧୁମୟ
ଆଜି କିଆଁ ହେଉଅଛ କପଟୀ ?
ସାମାନ୍ୟ ଖର୍ଚ୍ଚରେ ଚାହଁ ତରାଟି
ମୁଭି, ଥିଏଟର, ପାର୍କ ବୁଲାଇବା
କଥାଟିକୁ ଏବେ ଦେଉଛ କାଟି ।
ଜୀବନସଙ୍ଗିନୀ କରି ନେଲା ପରେ
ସବୁରଙ୍ଗ ତୁମ ଗଲା ବଦଳି
ଘରକୋଣଟାରେ ପଡ଼ି ରହି ମୁହିଁ
ନିଇତି ଛାଡେ ଆକୁଳେ ବୋବାଳି
ଫିଟାଇ କେବଳ ସେ ସ୍ମୃତି ଥଳି
ଗୋଟିଗୋଟି କରି ସାଉଁଟି ଚାଲଇ
ଜୀବନ-ରଙ୍ଗରେ ଦେବାକୁ ବୋଳି ।
ପ୍ରେମଫେମସବୁ ଚୁଲିକୁ ଗଲାଣି
ବୋତଲ ସାଥିରେ କରିକି ପ୍ରେମ
ପେଟେ ପିଇଦେଇ ହୁକୁମ ଜାରିରେ
ପିଠିରେ ମୋହର କର ଜୁଲମ
ଏହା କି ପୁରୁଷପଣିଆ ତୁମ
କଥା ଦେଇ କଥା ରଖି ପାରିଲନି
ଭାବିହୁଏ ଖାଲି କଲି କି ଭ୍ରମ ।
ଯେବେ ଟିକେ ମୋତେ ମିଠା କଥା କୁହ
ମନଟା ମୋହର ଯାଏ ଭରସି
ସ୍ବଭାବଟା ତୁମ ଗଲା କି ବଦଳି
ମନକୁ ପଚାରି ରହେ ଆଶ୍ବାସି
ଚିଠିଟି କେବଳ ମୋ ଗଣ୍ଠିଧନ
ଅସହାୟ ଅନୁଭବରେ ପଠନ
ହାଲୁକା ଲାଗଇ ଟିକେ ମୋ ମନ ।