STORYMIRROR

lopa samal

Romance

4  

lopa samal

Romance

ସାଇତା ସ୍ମୃତି

ସାଇତା ସ୍ମୃତି

1 min
609

  ଖୋଜେ ତୁମ ସ୍ମୃତି ଚନ୍ଦନ ବନରେ

     ଭୁରୁ ଭୁରୁ ମିଠା ଗନ୍ଧେ,

  ସମୁଦ୍ର ଗରଭୁ ଶାମୁକା ଜଠରୁ

    ଯେହ୍ନେ ମୁକୁତା ସନ୍ଧାନେ।


 ପୁଣି ଖୋଜୁଥାଏ ବିଲପ୍ରାନ୍ତରରେ

   ମରୁ ମରୁଚିକା ଭୋଳେ,

  ଥକି ପଡେ କ୍ଷଣେ କେବେ ବା କେଉଁଠି

   ସାଇତା ସ୍ମୃତି ର କୋଳେ।


 ମନେ ମୋର ପ୍ରଶ୍ନ ଉଙ୍କି ମାରୁଥାଏ

  ଗୋଟି ଗୋଟି କରି କେତେ,

କଳ୍ପନାର ସ୍ରୋତେ ଆଙ୍କେ ତୁମ ଛବି

   ମନେ ମୋ ଆସଇ ଯେତେ।


 ପ୍ରତିଛବି ଲାଗେ ଅଚିହ୍ନା ଅଚିହ୍ନା

   ପରିଚୟ ପାଏ ନାହିଁ,

ନିଜ ସାମର୍ଥ୍ୟରେ ବଂଚିପାରୋ ବୋଲି

  ମନେ ମୋ ଶଂଙ୍କା ଜାଗଇ।


ତୁମ ନାମେ ପରା ମୋର ପରିଚୟ

   ପାଇଛି ନୂଆ ଠିକଣା,

ସେହି ଠିକଣା ରେ ତୁମକୁ ଖୋଜୁଛି

 ହେବି ନାହିଁ ବାଟବଣା।


ପୂର୍ଣିମା ରାତିର ସଫେଦ ଚନ୍ଦ୍ରମା

   ଲାଗେ ମୋତେ ନୂଆ ନୂଆ

କେତେ ଦୂରେ ଥାଇ ହସି ଦିଅ ବୋଲି

 ଲେଖିହୁଏ ମୋର ନାଆଁ।


ମୁଁ ଯେବେ କୁହଇ ତୁମେ ଶୁଣୁ ଥାଅ

  ହୁଁ ହୁଁ ଟିଏ ଦିଅ ମାରି,

କଥା ସରିଗଲା ହୁଁ ହୁଁ ନ'ମାରିଲ

   ସ୍ମୃତି ମୋ ନିଅ ଆବୋରି।


ମୋ ଶେଷ ରାତିର ପାହାନ୍ତି ପହରେ

   ତୁମେ ଶେଷ ସ୍ମୃତି ମୋର,

ସାତ ଜନ୍ମ ଯାଏଁ ମୋ ଆଖି ଖୋଜିବ

  ସାଇତା ସ୍ମୃତି ଆମର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance