ସାଇକେଲରେ ପର୍ବତାବତରଣ
ସାଇକେଲରେ ପର୍ବତାବତରଣ
ସର୍ପିଳ ପଥ ପାହାଡ଼ୁ ଆସେ ଗଡ଼ି ଗଡ଼ି
ସେ ପଥରେ ସାଇକଲ ଦେଇଛି ମୁଁ ଛାଡ଼ି l
ଗୋଡ଼ ଟେକି ହାତ ଭିଡ଼ି ସମ୍ମୁଖରେ ଦୃଷ୍ଟି
ଯାନ ମୋ ଚାଲିଛି ବେଗେ ପବନକୁ କାଟି l
ପ୍ରତେ ହୁଏ ଅନୀଳେ ମୁଁ ଯାଉ ଅଛି ଉଡ଼ି
ନୀଳଆକାଶେ ବିହଙ୍ଗ ଡେଣା ଦୁଇ ଝାଡ଼ି l
ବେଳୁ ବେଳ ଯାନ ଗତି ହେଉଛି ପ୍ରଖର
ହୃଦରେ ଭରିଛି ମୋର ପୁଲକ ଅପାର l
ବିହଙ୍ଗେ ହେ ଦେଖ ଦେଖ ମୁଁ ଉଡ୍ଡୀୟମାନ
ଉଡ଼ି ବୁଲୁ ଥାଅ ସଦା କେଡେ ଭାଗ୍ୟବାନ l
ଏହା କି ଆନନ୍ଦ ତୁମ୍ଭ ହେ ମୁକ୍ତ ବିହଙ୍ଗ
ମୋ ଆନନ୍ଦ ମାତ୍ର କିଛିକ୍ଷଣେ ହେବ ସାଙ୍ଗ l
ମୋତେ କି ସାଥି କରିବ ଦେବ ତୁମ୍ଭ ପର
ସାଥିହୋଇ ଉଡ଼ିଯାନ୍ତେ ମେଘରାଜା ଘର l
ମେଘ ରାଇଜରୁ ପରି ଆଣନ୍ତେ ଉଡ଼ାଇ
ସୁଖରେ ରହନ୍ତେ ଆମେ ସଦା ସାଥିହୋଇ l
ଆହା ମୋ ଭାବନା ଏବେ ହୋଇଆସେ ଅନ୍ତ
ଅଙ୍କା ବଙ୍କା ରାସ୍ତା ହୋଇ ଆସୁଛି ସମାପ୍ତ l
ପ୍ରତୀତ ହୁଅଇ ଭବେ ସୁଖ କ୍ଷଣିକର
ସୁଖ ମିଳଇ ଆରୋହି ପର୍ବତ ଶିଖର l
