ପ୍ରଣାମ ବୀର ସୁରେନ୍ଦ୍ର ସାଏ
ପ୍ରଣାମ ବୀର ସୁରେନ୍ଦ୍ର ସାଏ
ସମ୍ବଳ ମାଟିର ବୀର ସୁରେନ୍ଦର
ଅଜେୟ ମହା ସଂଗ୍ରାମୀ
ଉନ୍ମୁକ୍ତ ଶାଣିତ ଖଡଗେ ଯାହାର
ମୁକ୍ତି ଲେଲିହାନ ଅଗ୍ନି ।
ଅଶ୍ୱର ପୃଷ୍ଠରେ କରବାଳ ହସ୍ତେ
କରାଳ ସୁରେନ୍ଦ୍ର ବୀର
ଦେଖିବା ମାତ୍ରକେ ଶତ୍ରୁ ଇଂରେଜ
ହେଉଥିଲା ଥରହର ।
ସମର୍ଥ ସାର୍ଥକ ଅସୀମ ବୀରତ୍ୱ
ଦୁର୍ଜୟ ସମର କଳା
ଦେଖିଛି ଅଇରୀ ରଣ କଉଶଳ
ଗଣିଛି ପ୍ରମାଦ ଭଲା ।
ସମ୍ମୁଖ ସମରେ ହୋଇ ଭୟଭୀତ
ଇଂରେଜ ଶତ୍ରୁ ଚତୁର
ବିଶ୍ୱାସରେ ବିଷ ରଚି ଷଡ଼ଯନ୍ତ୍ର
ଲଗାଇଛି ଗୁପ୍ତଚର ।
ହଜାରିବାଗ ର କାଳକୋଠରୀରେ
ଦୁର୍ଗମ ଅସୁରଗଡେ
କଟାଇଛ ବୀର କୋଡ଼ିଏ ବରଷ
ଭାଙ୍ଗି ପଡ଼ି ନାହଁ ଦିନେ ।
ଦୁର୍ଦ୍ଦଷ ଦୁର୍ଜୟ ଅପରା ଅଜେୟ
ଧନ୍ୟ ସୁରେନ୍ଦର ସାଏ
ପରାଭବ କେବେ ମାନି ନାହଁ ତୁମେ
ନିଃଶ୍ୱାସ ଶେଷ ଯାଏ ।
ଅମର ଶହିଦ ପ୍ରଜ୍ଜଳିତ ତୁମେ
ଅମ୍ଳାନ ଜ୍ୟୋତି ମହାନ
ମୁକ୍ତି ସିଦ୍ଧି ପଥେ ଆଲୋକ ବର୍ତ୍ତିକା
ହେ ବୀର କୋଟି ପ୍ରଣାମ ।
