ଆକାଶ କୁସୁମ
ଆକାଶ କୁସୁମ
ସପନ ରାଇଜ ରାଜକୁମାରୀଟି
ମେଲାଇ କୋମଳ ପକ୍ଷ
ତୋଳିବାକୁ ଚାହେଁ ଆକାଶ କୁସୁମ
ଜହ୍ନ ତାରା ରୂପରେଖ ।
ଜଡ଼ ଜାନ୍ତବର ଆଦିମ ପିପାସା
ଛାଡ଼ୁ ନାହିଁ ତାର ପିଛା
ଧରୁଛି ଜାବୁଡ଼ି ତା ପୁଚ୍ଛ ପଣତ
ଧାଉଁଛି ସେ ପ୍ରାଣ ମୂର୍ଚ୍ଛା ।
ନୀଳ ଆକାଶରେ ମୁକ୍ତ ନୀଳ ପରୀ
ତାହାର ମନ ସ୍ୱଚ୍ଛନ୍ଦ
ଘର ଚାରିକୋଣ ପରିସୀମା ମଧ୍ୟେ
କେବଳ ନୁହେଁ ଆବଦ୍ଧ ।
ଜ୍ଞାନ ବିଜ୍ଞାନର ନୂତନ ଆଲୋକେ
ଅବଳା ନୁହେଁ ଦୁର୍ବଳା
କରିପାରେ ସିଏ ଅସାଧ୍ୟ ସାଧନ
ଶକ୍ତି ସେ ପରା ଅପରା ।
ସବୁଜ ସୁନ୍ଦର ଭାବକଳ୍ପ ତାର
ଉନ୍ମେଷ ନବ ସଙ୍କଳ୍ପ
ଉନ୍ମୋଚ କରିବ ନୂତନ ଦିଗନ୍ତ
ଦେବତ୍ୱର କାୟାକଳ୍ପ ।
ଭାବ ନାହିଁ ତାକୁ କ୍ରିଡନକ ମାତ୍ର
ପୁରୁଷର କ୍ରିତଦାସୀ
ଇଙ୍ଗିତେ କେବଳ ହେବ ଉଠବସ
ହୋଇବ ତା ମନ ଖୁସି ।
ବଳର ପ୍ରୟୋଗେ ହୋଇବ ଶୋଷିତ
ଆତଙ୍କିତ ନିର୍ଯାତିତ
ସହିବ ଅନ୍ୟାୟ ଭାଗ୍ୟକୁ ଆଦରି
ଲୋଟୁଥିବ ତା ମହତ ।
ହୋଇପାରେ ସିଏ ସମର୍ଥା ସମ୍ଭବା
ସ୍ୱାବଲମ୍ବୀ ମହାଶକ୍ତି
ସୃଜିପାରେ ସିଏ ଆତ୍ମ ପରିଚୟ
ସୃଷ୍ଟି ମହାନ ବିଭୂତି ।
