ନିଷ୍ଠୁର ନିଦାଘ
ନିଷ୍ଠୁର ନିଦାଘ
ବଡ଼ ବିଚିତ୍ର ଏ ବିଶାଳ ସଂସାର
ପ୍ରକୃତିର ସରଂଚନା
ନାନା ରୂପେ ଧରା ସଜ୍ଜିତ ହୁଏନା
ଋତୁଚକ୍ର ଧାରା ବିନା ।
ଋତୁ ପରେ ଋତୁ ପଦାର୍ପଣ କରି
ଭିନ୍ନ ଅନୁଭୂତି ଭରି
ଭୂମିଠାରୁ ଭୂମା ଖେଳାଇଦିଅନ୍ତି
ଅନୁପମ ଶୋଭାଶିରୀ ।
ବିବିଧ ବର୍ଣ୍ଣରେ ସଜାଇ ମହୀକୁ
ଫେରିଗଲା ମଧୁମାସ
ଦେଖାଉଛି ଠାଣି ନିଷ୍ଠୁର ନିଦାଘ
ହା ହା କାର ଚଉପାଶ ।
ସୂର୍ଯ୍ୟଙ୍କ ପ୍ରଖର ରଶ୍ମିରେ ତାପିତ
ସବୁଜିମା ଶୂନ୍ୟ କ୍ଷିତି
ଧୂଳି ଧୂସରିତ ବିବର୍ଣ୍ଣ ବସୁଧା
ସନ୍ତାପିତ ଜୀଵଜାତି ।
ଉତ୍ତପ୍ତ ଝାଞ୍ଜିର ଅବାଧ ସ୍ପର୍ଶରେ
ଜର୍ଜରିତ ତନୁମନ
ପାଦପେ ପତ୍ରାଦି ଅର୍ଦ୍ଧମୃତ ପ୍ରାୟ
ହଜିଅଛି ସୁଖ ଦିନ ।
ନଦୀ ପୁଷ୍କରିଣୀ ଶୁଷ୍କ ହୋଇଲେଣି
ଅସହ୍ୟ ଯେ ଜଳକଷ୍ଟ
ନିରସ ମାଟିର ଅସରନ୍ତି ଆଶା
ବର୍ଷା ଝରି ହେବ ତୁଷ୍ଟ ।
ନାହିଁ ମାଦକତା କାହାରି ହୃଦୟେ
ଗ୍ରୀଷ୍ମ ହୋଇଲାଣି କାଳ
କାଳ ବୈଶାଖୀର କରାଳ ରୂପରେ
ଅସ୍ତବ୍ୟସ୍ତ ଧରାକୋଳ ।
ନିଦାଘ ଦେଉଛି ଦାରୁଣ ଆଘାତ
ହସୁଅଛି ଅଂଶୁଘାତ
ନିରୀହ ମଣିଷ ପଶୁ ପକ୍ଷୀ କୀଟ
ଗଛଲତା ଭୀତତ୍ରସ୍ତ ।
ଦୀର୍ଘସ୍ଥାୟୀ ନୁହେଁ ନିଦାଘ ଆୟୁଷ
ଚାଲିଯିବ ଖେଳସାରି
ସ୍ୱାଗତ କରିବ ବରଷା ଋତୁକୁ
ଜଳଧାର ଯିବ ଝରି ।
ହସିବ ଧରିତ୍ରୀ ଭୁଲିଯିବ ବ୍ୟଥା
ଦେଉଅଛି ଗ୍ରୀଷ୍ମକାଳ
ନିୟତିର ନୀତି ନିଦାଘର ସ୍ଥିତି
ଭୋଗିବାକୁ ହେବ ଫଳ ।