ସାହିତ୍ୟର ଆତ୍ମା
ସାହିତ୍ୟର ଆତ୍ମା
ଶୁଣି ଶୁଣି ବେଦ ମନେ ରଖୁଥିଲେ ନାମ ତା'ର ତେଣୁ ଶୃତି
ଆଲୋକର ଦେଶ ବିଶ୍ୱରେ ପ୍ରସିଦ୍ଧ ମହାନ ତା'ର ସଂସ୍କୃତି ।
ମୁନି ୠଷି ପ୍ରଥା ବାନପ୍ରସ୍ଥାଶ୍ରମ ଲୋପ ପାଇଲା ଯେ ଦିନ
ବେଦୋପନିଷଦ ସ୍ମୃତିରେ ରଖିବା ସମ୍ଭବ କି ଆଉ ମନ !
ସେଥିପାଇଁ ତାକୁ ତାମ୍ରଲିପି ତାଳପତ୍ର ପୋଥିରେ ଲେଖିଲେ
ସମୟ ସାପେକ୍ଷ ବ୍ୟୟ ବହୁଳତା ସକ୍ଷମ କି ସର୍ବେ ଥିଲେ !
କାଗଜରେ ଲେଖା ଆଦୃତ ହୋଇଲା ବିଦ୍ୟାଳୟ ଶିକ୍ଷା ବରି
ବାଇବେଲ ଗ୍ରନ୍ଥ ଛାପିବାକୁ ଭିନ୍ନ ଉପାୟଟି ଚିନ୍ତା କରି ।
ଛାପା କାଗଜର ସୃଷ୍ଟି ତହୁଁ ହେଲା କାଳି ଦୁଆତର ଯୁଗ
କଲମ ଓ କାଳି ସାହିତ୍ୟର ଆତ୍ମା ହେଲା ସେ ଦିନରୁ ଆଗ ।
ୱାଟରମ୍ୟାନ ଝର କଲମର କରିବାରୁ ଉଦ୍ଭାବନ
ଲେଖିବା ଆହୁରି ସହଜ ହୋଇଲା ଢାଳି ତହିଁ ଆତ୍ମଜ୍ଞାନ ।
ଡଟ୍ କଲମର ଉଦ୍ଭାବନ ତାକୁ ଆହୁରି ସହଜ କଲା
କାଳି ପୁରେଇବା ଝାମେଲା ସରିଲା ଚର ଚର ଚାଲି ଗଲା ।
କଲମର ଏବେ ଚରମ ସଂକଟ କମ୍ପ୍ୟୁଟର ଆସିଗଲା
ମୋବାଇଲ ଆଇପଡ୍ କଲମକୁ ହତାଦର ତହୁଁ କଲା ।
କି ପ୍ୟାଡ୍ ଆଜି ମହା ସଂକଟରେ ଡାକିଲେ ଲେଖୁଛି ପାଠ
ମାଇକ୍ରୋସଫ୍ଟ୍ ର କମାଲ ଦେଖିକି କାଗଜ କଲମ କାଠ ।
ତଥାପି ଛାତିରେ କଲମ ଗରବେ ଦେଖାଉଛି ତା ବଡିମା
ନୋଟବୁକଟିଏ ପକେଟରେ ଅଛିକେବେ ଚାଲିଯିବ କୋମା ।
ସାହିତ୍ୟର ପ୍ରାଣ କଲମ ସ୍ୟାହିଟି ଲେଖିଲେ ଜାଣେ ଜଗତ
ଉତ୍କଳମଣି ସମାଜରେ ହାତେ ଲେଖୁଥିଲେ ନିଜ ମତ ।
କଲମର ଶକ୍ତି ତଳୱାର ଠାରୁ ଧାରୁଆ ସ୍ୱଭାବେ ଅତି
ତଲବାର ସିନା ମୃତ୍ୟୁ ଦିଏ ତହିଁ ସମାଜ ବଦଳବ କି !
କଲମ ସମାଜେ ଆଣଇ ବିପ୍ଳବ ପରିବର୍ତ୍ତନର ଧାରା
ସାହିତ୍ୟର ଆତ୍ମା କଲମରେ ଅଛି ସତ୍ୟ ଏହା ସସାଗରା ।