ସାଗର କୂଳରେ ଜ୍ୟୋତ୍ସ୍ନା ରାତି
ସାଗର କୂଳରେ ଜ୍ୟୋତ୍ସ୍ନା ରାତି
ହେ ଚନ୍ଦ୍ରମା ତୁମେ ଆକାଶ ବକ୍ଷରେ
ଯେବେ କର ସନ୍ତରଣ
ପୁଲ୍ଲକେ ପ୍ରକୃତି କୋଟି ସୌନ୍ଦର୍ଯ୍ୟରେ
ଢାଙ୍କେ ଶୀତ ଆସ୍ତରଣ ।
ନୀଳାମ୍ବୁ ଉତ୍ତାଳେ ଖେଳେ ଉର୍ମିମାଳେ
ବେଳାଭୂମି ତଟ ଛୁଇଁ
ଅଜସ୍ର ବାଲୁକା ନିକ୍ଷେପିତ ଗର୍ଭେ
ପୁଣି ଉଠି ଆସେ ଚେଇଁ ।
ନିରନ୍ତର ଚାଲେ ଏଇ ଭଙ୍ଗା ଗଢା
ଲିଭେନା ମନର ସୃହା
କେତେ ତିଥି ବାର ଦିବସ ରାଜନୀ
ମିଳନ ବିଚ୍ଛେଦେ ସ୍ବାହା ।
ମେଦିନୀ ପୃଷ୍ଠରୁ ଶୁଭ୍ର ଜ୍ୟୋତ୍ସ୍ନା ବାହୁ
ଯେବେ ହୁଏ ପ୍ରସାରିତ
ଅନ୍ୟ ଏକ ପ୍ରାନ୍ତେ ଦୂର ଦିଗନ୍ତକୁ
ସ୍ଵାଗତେ ବଳାଏ ଚିତ୍ତ ।
ତୁମ ରୂପ ଶ୍ଲାଘା ବର୍ଣ୍ଣିବାକୁ ସୃହା
ତୁମେ ଅଛ ପ୍ରାଣେ ବନ୍ଦୀ
ନିର୍ଜନ ନିଶଦ୍ଦ ଯାମିନୀକୁ ଧରି
ତୁମ ରୂପେ ଯାଏ ଛନ୍ଦି ।
ନିରବ ବିସ୍ତୀର୍ଣ୍ଣ ବେଳାଭୂମି ଶଯ୍ୟା
ଆଦରନ୍ତି ଜଳ ଜୀବ
ବିଧୁ ମନୋରମ ଉପଭୋଗେ ପ୍ରୀତି
ଆନନ୍ଦେ ପ୍ରକାଶ ଭାବ ।
ସୁଧା ମଧୁ ରୂପେ ଝରି ପଡୁ ଥାଏ
ତୁମରି ଆଲୋକ ଜ୍ୟୋତ୍ସ୍ନା
ମହା ତୃପ୍ତି ପାଇ ଲହରିରେ ମାତି
ଲିଭେ ଜଳ ଜୀବ ତୃଷା ।
ଆନନ୍ଦେ କଲ୍ଲୋଳ ନଦୀ କୁଲ୍ୟା କୁଳ
ମଧୁର ସ୍ବରରେ ମାତି
ସାଗର ସଂଗତେ ମିଳନେ ଆତୁର
ସାଥୀ ପୁଣି ମଧୁ ରାତି ।
ତୁମ ଉପଗମ ମନୋରମ ସିନା
ଉପକ୍ରୋଶ ନିଶାଚର
ଚକ୍ଷୁ ଅନ୍ତରାଳେ ଅପହରଣରେ
ବାଧକ ରୂପରେ ହାର ।
ନିର୍ମଳ ଗଗନେ ଚିର ସତ୍ୟ ତୁମେ
ହୁଅ ପଛେ କଳଙ୍କିତ
ବିଶ୍ଵ ବ୍ରହ୍ମାଣ୍ଡରେ ତୁମରି ବିଭାସ
ଜନ ମନ ପ୍ରୀତେ ଧୌତ ।
ଜୀବନରେ ପାଇ ତୁମରି ସୁରମ୍ୟ
ଏଇ ଶିକ୍ଷା ପ୍ରାପ୍ତ ହୁଏ
ନିଶ୍ଚଳ ନିଡରେ ଅଗ୍ରଗତି କର
ଐରି ପଡ଼ି ଯିବେ ମୋହେ ।
ଅକୁଣ୍ଠିତ ମନେ ଶୀତଳ କରୁଣା
ବରଷାଇ ଦିଅ ଜନେ
ସୁଖମୟ ହେଉ ଜୀବନର ପଥ
ମନେ ଥିବ ଚିର ଦିନେ ।