ସାଗର ବେଳାରେ
ସାଗର ବେଳାରେ
ସାଗର ବେଳାର ଟିକି ଶାମୁକା ମୁଁ
ବାଲୁକାରେ ଅଛି ଶୋଇ
ନୀଳ ଢେଉ ଆସି ମୋତେ ଛୁଇଁ ଯାଏ
ଆକାଶକୁ ଦେଖୁ ଥାଇ ।
ନୀଳ ଆକାଶର ନୀଳିମା ରଙ୍ଗରେ
ନିଜକୁ ହଜେଇ ଦେଇ
ଢେଉର କାନରେ ଗୁଣୁ ଗୁଣୁ ହେଇ
ପ୍ରେମ ଗୀତ ଯାଏ ଗାଇ ।
ସେ ମୋର ନାୟକ ମୁଁ ତାର ନାୟିକା
ପ୍ରେମ ପକ୍ଷୀଟିଏ ହେଇ
ତାହାରି ପ୍ରେମରେ ନିତି ଭିଜୁ ଥାଏ
ପାଗେଳି ପ୍ରେମିକା ହେଇ ।
ମରିଯାଏ ଯେବେ ସେଇଠି ବି ରହେ
ଢେଉ ଯାଉଥାଏ ଛୁଇଁ
ମୋହରି ଦେହରେ ମୋତି ବି ନ ଥିଲେ
ଯାଏନି ସିଏ ଆଡେଇ ।
ତଥାପି ମନରେ ଦୁଃଖ ମୋର ନାହଁ
ମନେ ମନେ ହସୁ ଥାଇ
ଟିକି ଶାମୁକାଟି ମୁକୁତା ବିହୀନ
ତଥାପି ସାଗର ଛୁଇଁ ।
କେତେ ଶରଧାରେ ପର୍ଯ୍ୟଟକ ଆସି
ନିଅନ୍ତି ମୋତେ ଗୋଟାଇ
ତିଆରି କରନ୍ତି କି ସୁନ୍ଦର ତାକୁ
ବେକରେ ଥାନ୍ତି ଲଗେଇ ।
କଉଡି ସାଥିରେ ମୋତେ ଗୁନ୍ଥି ଥାନ୍ତି
ସୁନ୍ଦରତା ଦିଶୁଥାଇ
ତାକୁ ବିକ୍ରି କରି ପଇସାକୁ ଆଣି
ଆନନ୍ଦେ ରହନ୍ତି ସେଇ ।
ଟିକି ଟିକି ମୋର ଶାମୁକା ଦେହରେ
ଆଇନା ତିଆରି ହେଇ
ହାତର କମାଲ ଦିଶେ ଝଲମଲ
ମନକୁ ନିଏ ଚୋରାଇ ।
ଟିକି ଶାମୁକାରେ ଅନେକ ଜିନିଷ
ତିଆରି କରନ୍ତି ସେଇ
ମୋତି ମୋ ନ ଥିଲେ ମୋହରି ଦେହରେ
କେତେ ଖୁସି ହେଇ ଥାଇ ।
ସାଗରେ ବେଳାର ଟିକି ଶାମୁକା ମୁଁ
ଖୁସି ମୋର ଝରୁଥାଇ
ଯେତିକି ମୁଁ ଅଛି ସେଇତିରେ ଭଲ
ବେଶୀ ଆଶା ଦୁଃଖ ଦେଇ ।
ମୋ ଦୁନିଆରେ ଭଲରେ ମୁଁ ଅଛି
ଟିକି ଶାମୁକାଟି ହେଇ
ସେତିକି ମୋ ପାଇଁ ସୌଭାଗ୍ଯର କଥା
ମୋତେ ଭଲ ଥାନ୍ତି ପାଇ ।
