STORYMIRROR

Yudhisthira Lenka

Inspirational

4  

Yudhisthira Lenka

Inspirational

ସାଧୁସଙ୍ଗ

ସାଧୁସଙ୍ଗ

3 mins
318

ସାଧୁ ବୋଲାଯାଏ ସଂସାରେ

ସଦା ସତ୍ୟଧର୍ମ ଆଚରେ ।।୧।।


ସମଦରଶୀ ସତ୍ୟ ସାର

ଶୁଦ୍ଧ ବିବେକ ମତି ଯାର ।।୨।।


ଦ୍ରୋହ ବର୍ଜିତ ଶାନ୍ତିପର

ତ୍ୟାଗସ୍ୱଭାବ ମହାଧୀର ।।୩।।


କୃପାଳୁ ସର୍ବଲୋକ ହିତ

ଶୁଚି ଦରିଦ୍ର ଦୃଢବ୍ରତ ।।୪।।


ଅଳ୍ପଭୋଜନ ଧର୍ମେସ୍ଥିର

ମୃଦୁପ୍ରସନ୍ନ ଧୃତିଶୀଳ ।।୫।।


ସୁକଲ୍ୟ ଅମାନୀ ମାନଦ

କବି ମଇତ୍ର ଶୁଦ୍ଧବୋଧ ।।୬।।


ଜିତ ଷଡ଼ଗୁଣ ଅପ୍ରମାଦୀ

ଗଭୀରଚିତ୍ତ ଧୀରବୁଦ୍ଧି ।।୭।।


ସାଧୁଙ୍କ ଏସବୁ ଲକ୍ଷଣ

ଭାଗବତରେ ଏ ବର୍ଣ୍ଣନ ।।୮।।


ସାଧୁଙ୍କ ହୃଦୟ ନିର୍ମଳ

ନିର୍ମାୟା ନିର୍ଦ୍ୱନ୍ଦ ସରଳ ।।୯।।


ଜ୍ଞାନ ଭକ୍ତି ଓ ସଦଗୁଣେ

ସମ୍ପୂର୍ଣ୍ଣ ଥାନ୍ତି ସାଧୁଗଣେ ।।୧୦।।


ସାଧୁଙ୍କ ମନଟି ପବିତ୍ର

ହରଇ ବିଷୟାର ଗାତ୍ର ।।୧୧।।


ସାଧୁଙ୍କ ନାହିଁ ହିଁସାଭାବ

ଦେଖନ୍ତି ଭବେ ସର୍ବସମ ।।୧୨।।


ଅନିତ୍ୟ ଯେଦେହ ଜାଣନ୍ତି

କେବେହେଁ ସ୍ନେହ ନ କରନ୍ତି ।।୧୩।।


କୋମଳ ଚିତ୍ତ ଯେ ହୋଇଣ

କରନ୍ତି ଦୟା ଦୀନଜନ ।।୧୪।।


ମନ କର୍ଣ୍ଣ ଆଉ ବଚନ

ମାୟାରହିତ ଥାଏ ପୁଣ ।।୧୫।।


କାମକୁ କରି ସେ ଆୟତ୍ତ

ନାମ ଭଜନେ ଥାନ୍ତି ରତ ।।୧୬।।


ଶୀତଳ ସରଳ ଭାବରେ

ମିତ୍ର ହୁଅନ୍ତି ସବୁଠାରେ ।।୧୭।।


ଶାନ୍ତି ତ୍ୟାଗ ନମ୍ର ଓ ହର୍ଷ

ଶରୀର କରିଥାଏ ସ୍ପର୍ଶ ।।୧୮।।


ନିନ୍ଦା ପ୍ରଶଂସାକୁ ସମାନେ

ମମତା କରୁଥାନ୍ତି ମନେ ।।୧୯।।


ଦାରା ସୁତ ଗୃହ ସମ୍ପଦେ

ମମତା ନାହିଁ ତାଙ୍କ ଲବେ ।।୨୦।।


ସମୁଦ୍ର ଅଟନ୍ତି ଶ୍ରୀହରି

ସୁସାଧୁ ବର୍ଷାଜଳ ପରି ।।୨୧।।


ଚନ୍ଦନ ତରୁଟି ଶ୍ରୀହରି

ସନ୍ଥ ଯେ ଚନ୍ଦନ ସେପରି।।୨୨।।


ଶାନ୍ତି ଦୟା ସ୍ନେହ ସମାନ

କରିଥାନ୍ତି ସଦା ସଜ୍ଜନ ।।୨୩।।


ମନ୍ଦଜନଙ୍କର ବଚନ

ବାଧା ନଦିଏ କଦାଚନ ।।୨୪।।


ସାଧୁରେ ହୁଅନ୍ତି ଉତ୍ତମ

ଗଣା ନଥିଲେ ମାୟାଭ୍ରମ ।।୨୫।।


ସଦା ଜୀବରେ କରେ ଦୟା

ସୁସାଧୁ ଆଚରଣ ତାହା ।।୨୬।।


ସହିଷ୍ଣୁ ବୃକ୍ଷପରି ହୋଇ

କରଇ ଛାୟାଦାନ ସେହି ।।୨୭।।


ଗୋଲାପର କଣ୍ଟା ଅସାଧୁ

ଗୋଲାପର ଫୁଲ ଯେ ସାଧୁ ।।୨୮।।


ସଂସାର ଗୋଲାପ ବୃକ୍ଷରୁ

ତୋଳିବ ସାଧୁଙ୍କୁ ସେଥିରୁ ।।୨୯।।


ସାଧୁଙ୍କୁ ଚିହ୍ନିବାର ଜ୍ଞାନ

କଳିରେ ନକରେ ଅଜ୍ଞାନ ।।୩୦।।


ଚିହ୍ନିଲେ ନାନାଦି ଯାତନା

ନ ଦହେ ମାନସ ବେଦନା ।।୩୧।।


ଅସାଧୁ ସଙ୍ଗର ମିଳନେ

ନିରତେ ଦୁଃଖ ଦିଏ ମନେ ।।୩୨।।


ଇନ୍ଦ୍ରିୟ ନକରି ଦମନ

ସନ୍ଥ ବୋଲାନ୍ତି ଥୋକେଜନ ।।୩୩।।


ମୁଖରେ ହରିନାମ କରି

କାମୁକଭାବ ମନେ ଧରି ।।୩୪।।


ସରଳ ଲୋକଙ୍କୁ ଭୁଲାଏ

ଅଜ୍ଞାନ ତା ପାଶକୁ ଯାଏ ।।୩୫।।


କାମିନୀ କାଞ୍ଚନର ନିଶା

ସହ ପାଖଣ୍ଡୀ କରେ ପେଶା ।।୩୬।।


ବ୍ରହ୍ମନିଷ୍ଠ ଯେ ଜନ ନୋହେ

ସନ୍ଥ ପଦବାଚ୍ୟ ସେ ନୋହେ ।।୩୭।।


ନିଶା ବେଶ୍ୟା ଓ ପଇସା

ସନ୍ଥଙ୍କ ନଥାଏ ଏ ନିଶା ।।୩୮।।


ଅସାଧୁ ଏ ତିନି ନିଶାରେ

ଆଦରି ରହେ ଏ ସଂସାରେ ।।୩୯।।


ସାଧୁଙ୍କୁ ଚିହ୍ନ ସୁଧୀଜନେ

ବିଚାରି ଏସବୁ ଲକ୍ଷଣେ ।।୪୦।।


କୁସଙ୍ଗ ଆତ୍ମାର ବନ୍ଧନ

ସତ୍ସଙ୍ଗ ମୋକ୍ଷର କାରଣ ।।୪୧।।


ସମ ସନ୍ତୋଷ ଓ ବିଚାର

ସାଧୁସଙ୍ଗ ହିଁ ମୋକ୍ଷଦ୍ବାର ।।୪୨।।


ତୀର୍ଥ ମିଳିଲେ ଏକ ଫଳ

ସାଧୁସଙ୍ଗରେ ଚାରିଫଳ ।।୪୩।।


ସମ ଓ ସନ୍ତୋଷ ଅଟଇ

ସ୍ୱାଧ୍ୟାୟ ସତ୍ସଙ୍ଗ ମିଳଇ ।।୪୪।।


ସାଧୁ ସଙ୍ଗତେ ପାପ ହରେ

କର୍ମବାସନା ରଜ୍ଜୁ ଛିଡେ ।।୪୫।।


ଯାହାର ଥିବ ପୂର୍ବଭାଗ୍ୟ

ତାହାକୁ ମିଳେ ସାଧୁସଙ୍ଗ ।।୪୬।।


ସାଧୁସଙ୍ଗର ଯେ ମାହାତ୍ମ୍ୟ

କେ ବର୍ଣ୍ଣିବ ଅଟଇ ସଖ୍ୟ ।।୪୭।।


କୋଟିଏ ତୀର୍ଥ ବ୍ରତ ଯଜ୍ଞ

ସରି ନୁହଁଇ ସାଧୁସଙ୍ଗ ।।୪୮।।


ସୁସାଧୁ ସଙ୍ଗ ହେଲେ ପ୍ରାପ୍ତ

ଅଜ୍ଞାନ ହୁଅଇ ସମାପ୍ତ ।।୪୯।।


ଯେ ସାଧୁସଙ୍ଗକୁ କରଇ

ସେ ତରେ ଭକ୍ତିଭାବ ପାଇ ।।୫୦।।


ପ୍ରକାଶେ ଆତ୍ମାହେତୁ ଜ୍ଞାନ 

ଦେଖଇ ସକଳ ସମାନ ।।୫୧।।


କୁସଙ୍ଗ କଲେ ପରିତ୍ୟାଗ

ପରମ ସୁଖ କରେ ଭୋଗ ।।୫୨।।


ସତସଙ୍ଗ ବିନା ବିବେକ

ଉଦୟ ନହୁଅଇ ଦେଖ ।।୫୩।।


ଯେପରି ସୂର୍ଯ୍ୟ ଏ ସଂସାର

ନାଶଇ ଅନ୍ଧକାର ତାର ।।୫୪।।


କରିଲେ ସାଧୁସଙ୍ଗ ସଦା

ମିଳଇ ସତପଥ ପନ୍ଥା ।।୫୫।।


କୁଠାର ଯେପରି ସୁବାଷ

ଚନ୍ଦନ ହାଣି ଲଭେ ବାସ ।।୫୬।।


ତଥା ସଂସର୍ଗେ ସାଧୁଜନ

ଭକ୍ତ ହୁଅଇ ଦୁରୁଜନ ।।୫୭।।


ଭକ୍ତ ହୁଅଇ ଯେଉଁଜନ

ଦୟା ପାଇଣ ସାଧୁଜନ ।।୫୮।।


କେବେ ହେଁ ଅଭକ୍ତ ନୁହଁଇ

ସଂସାରେ ବଣେ ବା ସେ ରହି ।।୫୯।।


ସୁଖରେ ତାକାଳ କଟଇ

ଭବସାଗର ସେ ତରଇ ।।୬୦।।


ସପ୍ତ ପୁରୁଷ ହ୍ୱନ୍ତି ତାର

ସମସ୍ତେ ନରକୁ ଉଦ୍ଧାର ।।୬୧।।


ସାଧୁସଙ୍ଗର ଫଳ ଏହି

ସୁଜନେ ଜାଣ ମନଦେଇ ।।୬୨।।


ଏକଦା ଦେବର୍ଷି ନାରଦ

ପୁଚ୍ଛିଲେ ପ୍ରଭୁ ଆଦିକନ୍ଦ ।।୬୩।।


ସାଧୁସଙ୍ଗର ଫଳ କିସ

କୁହନ୍ତୁ ମନେ ବହି ତୋଷ ।।୬୪।।


ବୋଇଲେ ପ୍ରଭୁ ନାରାୟଣ

ଯାଆନ୍ତୁ ମର୍ତ୍ତ୍ୟର ଭୁବନ ।।୬୫।।


ଏକଇ ବୃକ୍ଷରେ ଭ୍ରମର

ରହିଛି ତାହାରି କୋଟର ।।୬୬।।


ଭ୍ରମର କରିଅଛି ବାସ

କହିବ ସାଧୁସଙ୍ଗ କିସ ।।୬୭।।


ନାରଦ ଯାଇ ବୃକ୍ଷପାଶ

ଖୋଜିଲେ ଭ୍ରମର ନିବାସ ।।୬୮।।


ନାରଦ ଦେଖନ୍ତେ କୋଟର

ମରଣ ଲଭିଲା ଭ୍ରମର ।।୬୯।।


ସେ ସ୍ଥାନୁ ନାରଦ ଆସିଣ

ପୁଚ୍ଛିଲେ ପ୍ରଭୁ ନାରାୟଣ ।।୭୦।।


ଭ୍ରମର ମରିଣ ପଡିଲା

ସତ୍ସଙ୍ଗ ଫଳ ନ ମିଳିଲା ।।୭୧।।


ପୁନଶ୍ଚ ପ୍ରଭୁ ନାରାୟଣ

ବୋଇଲେ ଯାଅରେ ତତ୍କ୍ଷଣ ।।୭୨।।


ଏକଇ ସ୍ଥାନରେ ବାଛୁରୀ

ସଦ୍ୟ ଜନ୍ମିଛି ସୁକୁମାରୀ ।।୭୩।।


କହିବ ସାଧୁସଙ୍ଗ ଫଳ

ମନରେ ସଂଶୟ ନଭାଳ ।।୭୪।।


ନାରଦ ପୁନଶ୍ଚ ଚଳିଲେ

ବାଛୁରୀ ପାର୍ଶ୍ୱରେ ମିଳିଲେ ।।୭୫।।


ନାରଦେ କରିଣ ଦର୍ଶନ

ବାଛୁରୀ ଲଭିଲା ମରଣ ।।୭୬।।


ପୁନଶ୍ଚ ନାରଦ ଆସିଣ

ମିଳିଲେ ପ୍ରଭୁ ନାରାୟଣ ।।୭୭।।


ବତ୍ସାତ ଲଭିଲା ମରଣ

କୁହନ୍ତୁ ପ୍ରଭୁ ନାରାୟଣ ।।୭୮।।


ସାଧୁସଙ୍ଗର ଫଳ କିସ

ନବୁଝି ପାରଇ ମୁଁ ଲେଶ ।।୭୯।।


ଏକଥା ଶୁଣି ନାରାୟଣ

ବୋଇଲେ ନାରଦେ ବଚନ ।।୮୦।।


ଏକଇ କୁମର ଜନମ

ହୋଇଛି ମର୍ତ୍ତ୍ୟରେ ସେ ପୁଣ ।।୮୧।।


କହିବ ସାଧୁସଙ୍ଗ ଫଳ

ମନ ଶୁଣି ହେବ ନିର୍ମଳ ।।୮୨।।


ଦେବର୍ଷି ପ୍ରଭୁ ବାକ୍ୟ ଶୁଣି

ଚାଲିଲେ ସେ ସ୍ଥାନ ଯେ ପୁଣି ।।୮୩।।


ପହଞ୍ଚି ଦୂରରୁ ଦେଖିଲେ

କୁମର ଜନ୍ମିଛି ପାଇଲେ ।।୮୪।।


ପୂର୍ବରୁ ମରଣ ଘଟଣା

ମନକୁ କଲା ବାଟବଣା ।।୮୫।।


ଦୂରରୁ ଦେଖିଣ ସେ ସ୍ଥାନ

ପ୍ରସ୍ଥାନ ପାଇଁ କଲେ ମନ ।।୮୬।।


ଜନ୍ମିଲା କୁମର ଡାକିଲା

ଦେବର୍ଷି ଶୁଣ ଶୁଣ ଭଲା ।।୮୭।।


ନାରଦ ତହିଁ ଉଭାହେଲେ

କୁମର ମୁଖରୁ ଶୁଣିଲେ ।।୮୮।।


ଥିଲି ମୁଁ ପ୍ରଥମେ ଭ୍ରମର

ଥାଇ ମୁଁ ବୃକ୍ଷର କୋଟର ।।୮୯।।


ଆପଣେ ଦର୍ଶନ ପାଇଣ

ଲଭିଲି ବତ୍ସାର ଜନମ ।।୯୦।।


ପୁନଶ୍ଚ ଆପଣ ଦର୍ଶନୁ

ତରିଲି ବତ୍ସାର ଜନମୁ ।।୯୧।।


ଲଭିଲି କୁମର ଜନମ

ଏ ସାଧୁସଙ୍ଗ ଫଳ ଜାଣ ।।୯୨।।


ସାଧୁସଙ୍ଗର ଫଳ ଏହି

ମନେ ନ ଭାବ ଶଙ୍କା ବହି ।।୯୩।।


ହେ ନର କର ସାଧୁସଙ୍ଗ

ତରିବା ଏ ଭବତରଙ୍ଗ ।।୯୪।।


ବିନତୀ କରେ ଯୁଧିଷ୍ଠିର

ସୁଜନେ ଦୋଷ କ୍ଷମା କର ।।୯୫।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational