ସ୍ଵାଧୀନତାର ଅମୃତ ମହୋତ୍ସବ
ସ୍ଵାଧୀନତାର ଅମୃତ ମହୋତ୍ସବ
ବଣିଜ କରିବା ନିମନ୍ତେ ଆସିଣ
ଭାରତରେ ରହିଗଲେ,
ଦେଶର ବିଭବ ଦେଖି ହେଲା ଲୋଭ
ଶାଶନ ଆମକୁ କଲେ।
ଭାରି ଚତୁର ସେ ଇଂରେଜ ବଣିକ
ବନ୍ଧୁକ କହିଲା କଥା,
କେତେ ନୀରିହଙ୍କ ବନ୍ଧୁକ ମୁନରେ
ଗଡାଇ ଦେଲେ ସେ ମଥା।
ଅତ୍ୟାଚାର ଯେବେ ଅସହ୍ୟ ହୋଇଲା
ଜନମିଲେ କେତେ ବୀର,
ଦେଶ ପାଇଁ ପ୍ରାଣ ବଳି ଦେଇ ସିଏ
ଉଚ୍ଚ କଲେ ମାଆ ଶିର।
ଭଗତ ସୁବାଷ ଜୟୀ ରାଜଗୁରୁ
ବାଜିରାଉତର କଥା ,
ରାଣୀ ଲକ୍ଷ୍ମୀବାଈ ପୂଜ୍ୟ ଶୁକଦେଇ
ରହିଛି ଅମର ଗାଥା।
ସତ୍ୟ ଅହିଂସାର ଅସ୍ତ୍ର ଧରି
ମହାନ ଆତ୍ମା ଗାନ୍ଧୀ,
ଇଂରେଜଙ୍କ ମୁହଁ ବନ୍ଦ କରି ଦେଇ
ହାତ ଗୋଡ଼ ଦେଲେ ବାନ୍ଧି।
କେତେ କେତେ ବୀର ଆତ୍ମ ବଳିଦାନେ
ସ୍ବାଧୀନ ହୋଇଲୁ ଆମେ,
ମୁକ୍ତିର ବିହଙ୍ଗ ଆନନ୍ଦରେ ଉଡେ
ଭାରତର ପୁଣ୍ୟ ଧାମେ।
ଅଗଷ୍ଟ ମାସର ପନ୍ଦର ତାରିଖ
ଲିପିବଦ୍ଧ ଇତିହାସେ,
ଉଡିଲା ତ୍ରିରଙ୍ଗା ଫରଫର ହୋଇ
ସବୁରି ପରାଣ ହସେ।
ପଚସ୍ତରୀ ବର୍ଷ ବିତି ଯେ ଗଲାଣି
କାଳର ଅତୀତ ଗର୍ଭେ,
ସ୍ବାଧୀନ ଭାରତ ଲଭିଛି ଉତ୍କର୍ଷ
ଗର୍ବ କରନ୍ତି ସର୍ବେ।
ବିଜ୍ଞାନର ଯାତ୍ରା ଆଗେଇ ଚାଲିଛି
ଶିକ୍ଷା ହାର ବି ବଢିଛି,
ଉନ୍ନତ ମାନର ଚନ୍ଦ୍ରଯାନ ବି
ଭାରତ ତିଆରି କରିଛି।
ଶତ୍ରୁକୁ ଉଚିତ୍ ଜବାବ ଦେଇଛି
ସୀମାରେ ଅସ୍ତ୍ର ଧରି,
ପ୍ରଯୁକ୍ତି ବିଦ୍ୟାରେ ନୁହେଁ ବି ପଛରେ
ରହିଛି ଉନ୍ନତି ଜାରି।
ସଭ୍ୟତାର ବିକାଶ ଘଟିଛି ଯେତେ
ସ୍ବାର୍ଥେ ଅନ୍ଧ ହୋଇ ନର,
ମାନବିକତାକୁ ଭୁଲି ଯାଇ ସିଏ
ସବୁ କରେ ଛାରଖାର।
ସ୍ବାଧୀନତାର ଅମୃତ ମହୋତ୍ସବ
ପାଳୁଛି ଭାରତ ଆଜି,
ଉଡଇ ତ୍ରିରଙ୍ଗା ସବୁରି ଗୃହରେ
ତିନୋଟି ରଂଗରେ ସାଜି।
ଉନ୍ନତି ପଥରେ ଆଗେଇ ଚାଲିବା
ଶାନ୍ତି ପ୍ରୀତି ମୈତ୍ରୀ ନେଇ,
ସ୍ନେହ ଅନୁରାଗ ରଖିଣ ଚାଲିବା
ଭାରତର ଜୟ ଗାଇ।
ଗୋଟିଏ ମାଆର ସନ୍ତାନ ଆମେରେ
ରଖିବା ଏ କଥା ମନେ,
ଏକ କରି ମନ ଚଳୁଥିଲେ ଭାଇ
ଜିତିବାରେ ସର୍ବ ସ୍ଥାନେ।
