STORYMIRROR

Bidyadhar Mantry

Abstract Drama Classics

3  

Bidyadhar Mantry

Abstract Drama Classics

ସାଧବ ବୋହୂ ତା' ନାମ

ସାଧବ ବୋହୂ ତା' ନାମ

1 min
15


ପ୍ରକୃତି କୋଳରେ ଜୀବ ଜଗତର

ଆତଯାତ ଅହରହ

ଋତୁ ଚକ୍ର ଧାରେ ପ୍ରକୃତିର ଶୋଭା

ବିବିଧତା ବି ପ୍ରତ୍ୟୟ

ବର୍ଷା ଋତୁ ଆଗମନ ପରେ ପରେ

ନୂତନ ଜୀବନ ଧାରା

ସବୁଜ ବଳୟ ଧରଣୀ ବକ୍ଷରେ

ଦୃଶ୍ୟରାଜି ବି ନିଆରା

ରଙ୍ଗ ବେରଙ୍ଗର କୀଟ-ପତଙ୍ଗ ରେ 

ପରିବେଶ ଅନୁପମ

ନାଲି ରଙ୍ଗ ଥାଇ ସବୁଠୁ ନିଆରା

ସାଧବ ବୋହୂ ତା'ନାମ

ବର୍ଷା ଭିଜା ମାଟି ଭିତରୁ ଆସଇ 

ଆପେ ଜିଣି ନିଏ ମନ

ବର୍ଷା ବ୍ୟତିରେକ ଜାଣି ହୁଏ ନାହିଁ

ତା'ଠିକଣା ବାସସ୍ଥାନ

ମଖମଲ ସମ ଶରୀର କୋମଳ

ଧୀର ଚାଲି ମନଲୋଭା

ସତେ ଅବା ବୋହୂ ସାଧବ ଘରର

ପାଟ ପିନ୍ଧି ଦିଶେ ଶୋଭା


ବର୍ଷା ଭିଜା ଏଇ ତୃଷିତ ଧରାରେ

ଦୃଶ୍ୟ ବଦଳିଲା ପରେ

କାବ୍ୟ କବିତା ର ରୂପ ରେଖ ପାଇଁ 

ଉତ୍କଣ୍ଠା କବି ମନରେ 

ଗାଢ଼ ନାଲି ରଙ୍ଗ ଥିବା ପୋକ ଦେଖି

ମନ ଭାବନା ରାଜ୍ୟରେ 

ବିଗତ ଦିନର ସାଧବ ବୋହୂର

ଚିତ୍ର ଦୃଶ୍ୟ କଳ୍ପନାରେ

ସାଧବ ବୋହୂ ର ଆକ୍ଷେପ ସହିତ

କବିତା ଧାରେ ଚାତୁରୀ 

ନାଲି ଟୁକୁ ଟୁକୁ ଲାଜକୁଳୀ ସମ

ନାହିଁ ନ ଥିବା ଆଭାରି 


ହାତେ ନାଲି ଚୁଡ଼ି ପାଦରେ ଅଳତା 

ଶାଢ଼ୀ ପୁଣି ନାଲି ପାଟ 

ମୁଣ୍ଡରେ ଓଢ଼ଣା ଥିରି ଥିରି ଚାଲି 

ସୁନ୍ଦର ସେ ଚଲା ବାଟ 

ସାଧବ ଘରର ଆଭିଜାତ୍ୟ ଧାରେ

ନୂଆ ବୋହୁ ଯେବେ ଆସେ

ଅଙ୍ଗ ବସ୍ତ୍ର ନାଲି,ନାଲି ରଙ୍ଗ ଚୁଡ଼ି

ନାଲି ଅଳତା ବି ହସେ

ସାଧବ ବୋହୂ ର ରୂପ ରଙ୍ଗ ସହ

ସମାନତା ବି ଅନେକ

ବର୍ଷା ଭିଜା ମାଟି ଭିତରୁ ବାହାରେ 

ନାଲି ରଙ୍ଗ ଥିବା ପୋକ 


ମଣିଷ ଜାତିର ଚିନ୍ତା ଧାରା ପ୍ରାୟ

ଜାଣି ଶୁଣି ହୀନ ମନା

ନୂଆ ବୋହୂ ପ୍ରତି ନିର୍ଯାତନା ଧାରେ

ଅବ୍ୟକ୍ତ ତା'ର ବେଦନା

ଛାର କୀଟ ପ୍ରତି ସମବେଦନା ର 

ଭାବ ଯଦି ଉଛୁଳୁଛି

ନୂଆ ବୋହୂ ଟିଏ ଘରକୁ ଆସିଲେ

କିମ୍ପା ରଙ୍ଗ ବଦଳୁଛି !!

ନୂଆ ବୋହୂ ଯଦି ସଜେଇ ହୋଇବ

ସାଧବ ବୋହୂ ଧାରାରେ

ଘର ପରିବେଶ ସୁଖ ଓ ସମୃଦ୍ଧି

ଅବଶ୍ୟ ହେବ ଅଚିରେ


ହେ,ଭଦ୍ର ମଣିଷ,ଆଖି ଖୋଲି ଦେଖ

ସୁନ୍ଦର ସାଧବ ବୋହୂ 

ସେଇ ମନୋଭାବ ନୂଆ ବୋହୂ ପ୍ରତି

ସର୍ବଦା ଜାଗ୍ରତ ରହୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract