ସ୍ୱର୍ଗାଦପି ଗରୀୟସୀ
ସ୍ୱର୍ଗାଦପି ଗରୀୟସୀ
ସାରା ଜଗତରୁ ବଡ ମୋର ମାଆ
ସ୍ୱର୍ଗାଦପି ଗରୀୟସୀ,
ବକ୍ଷରେ ତାହାର କେତେ ଯେ ରହସ୍ୟ
ଛୁପାଇଛି ମହିୟସୀ l
କେତେ ଗିରିବନ ଶ୍ୟାମଳ ସୁନ୍ଦର
ମନଲୋଭା ରୂପ ରାଶି,
ଯେତେ ଖାଉ ଥିଲେ ସରେନାହିଁ ଜମା
ଅସରନ୍ତି ଫଳ ରାଜି l
ଖାଇବା ପିଇବା ରହିବା ଦେଇଛି
ଅତି ଯତନରେ ସିଏ,
କେତେ ଖେଳି କୁଦି ଡେ଼ଇଲେ ବି ସତେ
ଆମକୁ କୋଳେଇ ନିଏ l
ଫଳରେ ଭରିଛି ଅମୀୟ ପିୟୁଷ
ଫୁଲରେ ଭରିଛି ମହୁ,
ଧାନ, ବିରି, ମୁଗ, ଗହମ, ମାଣ୍ଡିଆ
ଫସଲ ଦେଇଛି ବହୁ l
ହୀରାନିଲା ମୋତି ମାଣିକ୍ୟରେ ଭରା
ଏଇ ମୋ ଜନମ ଭୂଇଁ,
ଡିଜେଲ, ପେଟ୍ରୋଲ ମାଙ୍ଗାନିଜ଼, ହୀରା
ରହିଅଛି ଖୁନ୍ଦି ହୋଇ l
ସକାଳ ଆସିଲେ ସୂରୁଜ ଉଁଅଇ
ପୂରୁବ ଆକାଶେ ନିତି
ଗୋଧୂଳି ଲଗନେ ଶୁଣିବାକୁ ମିଳେ
ନିଡ ଫେରା ପକ୍ଷୀ ଗୀତି l
ପାହାଡ଼ ଫାଙ୍କାରୁ ସରୁ ଝରଣାଟି
ଝରୁଥାଏ ଝରି ଝରି
ସ୍ନିଗ୍ଧ, ଶୀତଳ, ସୁଶୀତଳ ଜଳ ତା
ତୃଷାର୍ତ୍ତର ମନ ହାରି l
କେତେ ଖୋଳି ତାଡି ବିଦାରିତ କଲେ
ଉଁହୁଁ ଟିଏ କରେ ନାହିଁ
କଳ କାରଖାନା ବକ୍ଷେ ତାର ଠିଆ
ଦେଖି ଆଖି ପାଏ ନାହିଁ l
ତା ବକ୍ଷେ ଖେଳି ମୁଁ ବଡ ହୋଇଅଛି
ତା ଧୂଳି ଚନ୍ଦନ ମୋର
ନିଜ ଠାରୁ ବଳି ଭଲ ମୁଁ ପାଉଛି
ତୋ ପାଦେ ପ୍ରଣତି ମୋର ।