ସ୍ୱପ୍ନର ଭାରତବର୍ଷ
ସ୍ୱପ୍ନର ଭାରତବର୍ଷ
ଜାଗ ମା ଭାରତୀ ବିଶ୍ୱ ଆଦିଶକ୍ତି
ଦେବଭୂମି ପୁଣ୍ୟତୋୟା
ଜ୍ଞାନଚକ୍ଷୁ ବେଦ ପୁକାରେ ପ୍ରଣବ
ଛତ୍ର ତୋଳେ କଳ୍ପଛାୟା ।
ଉଦୟ ଅରୁଣ ସ୍ୱର୍ଣ୍ଣ।ଭ କିରଣ
ସୁଶୀତଳ ରୂପା ଜହ୍ନ
ବିଞ୍ଚିଦିଏ ଦେହ ମଳୟ ସମୀର
ମହକେ ପୁଷ୍ପ ସୁଗନ୍ଧ ।
ହିମ ହିମାଳୟ ହୀରକ ମୁକୁଟ
ଉଜ୍ଜ୍ୱଳେ ଉନ୍ନତ ଶିରେ
ପ୍ରବହେ ପବିତ୍ର ମନ୍ଦାକିନୀ ଧାରା
ସଞ୍ଜିବୀତ ବ୍ରହ୍ମପୁତ୍ରେ ।
କଟୀତଟେ ଶୋହେ ସୂତ୍ର ବିନ୍ଧ୍ୟାଚଳ
ଖଣିଜ ମୋତି ମାଣିକ୍ୟ
ଧୋଇଦିଏ ପାଦ ଜଳଧି ତରଙ୍ଗ
ଉଚ୍ଛଳେ ଆନନ୍ଦେ ତଟ ।
ସବୁଜ ସୁନ୍ଦର ଝୀନ ପାଟବସ୍ତ୍ରେ
ଅପରୂପା ମା ଭାରତୀ
ବରଦ ମୁଦ୍ରାରେ ଅନନ୍ୟା ବିରଜା
ସୁବିମଳା ଭଗବତୀ ।
ନିର୍ଝର ଅମୃତ ଉନ୍ମେଷ ଜୀବନ
ସୁଭଦ୍ରା ମା ସନାତନୀ
ବିଜୟ କେତନ ଉଡୁ ଫରଫର
ଜୟ ଅନ୍ନପୂର୍ଣ୍ଣା ଲକ୍ଷ୍ମୀ ।
କରମ ତତ୍ପର ବିଭୋର ସନ୍ତାନ
ପୁଲକିତ ହେଉ ହର୍ଷ
ଗଢୁ ସୁସହତ ମହତ ସୁଦକ୍ଷ
ସ୍ୱପ୍ନର ଭାରତବର୍ଷ ।
