ସ୍ୱପ୍ନ କାରିଗର
ସ୍ୱପ୍ନ କାରିଗର
କେମିତି ଜିଇଁବି ଅଚିନ୍ତା ଜୀବନ
ସ୍ୱପ୍ନକୁ ପାସୋରି ଦେଇ
ମୁଣ୍ଡପରେ ମୋର ଖଣ୍ଡା ଯେ ଝୁଲୁଛି
ସ୍ୱପ୍ନ ସାକାରିବା ପାଇଁ ।
ସ୍ୱପ୍ନ ପାଇଁ ଚେଷ୍ଟା ଜାରି ରହେ ମୋର
ସକାଳୁ ସଞ୍ଜ ହୁଏ
ଏମିତି ନିତି ସ୍ୱପ୍ନ ମନସ୍କରେ
ଘଣ୍ଟା ମିନିଟ ଏକ ହୁଏ ।
ଚାଲିଛି ଆଗେଇ ସାଧନାର ପଥେ
ସିଦ୍ଧି ପ୍ରାପ୍ତ ହବା ପାଇଁ
କେବେ ସେ ସମୟ ଦେଖାହବ କିବା
ତାହା ତ ମୁଁ ଜାଣେନାହିଁ ।
ପାଦେ ପାଦେ ହେଇ ଆଗକୁ ବଢୁଛି
ସୁଖ ଦୁଃଖକୁ ଆଡ଼େଇ
କେତେ ଦୂରେ ମୋର ପଥ ଶେଷହେବ
ଜାଣିବି ଯେ ଜାଣିନାହିଁ ।
ଯେତେ ମୁଁ ଗଢ଼ିଛି ସ୍ୱପ୍ନର କୋଣାର୍କ
ରକ୍ତ ମାଂସ ଯୋଖି ଦେଇ
ଜୀବନ୍ୟାସ ଦେବା ସମୟ ଆସିଲେ
ଭୁଶୁଡି ପଡୁଛି କାହିଁ ।
ଏଇ ଚଲାପଥେ ନବୀନ ପଥିକ
ଚାଲୁଛି ମୁଁ ଏକା ହେଇ
ଝୁଣ୍ଟିଲେ ପଡିଲେ ଖଣ୍ଡିଆ ବି ହେଲେ
ସାହା ପାଇଁ କେହି ନାହିଁ ।
ସ୍ୱପ୍ନ ଭଗ୍ନାବଶେଷ ଯୋଡି ଯୋଡି ମୋର
ଆଶା ଯେ କ୍ଷୀଣ ହେଉଛି
ଜୟ ପରାଜୟକୁ ଭ୍ରୁକ୍ଷେପ ନକରି
କାରିଗର ମୁଁ ସାଜିଛି ।

