ରସବତୀ
ରସବତୀ


● ରସବତୀ
ଅପରୂପା ପୀନସ୍ତନୀ ନୀଳ ଉତ୍ପଳନୟନୀ
କରିଣୀ ପରାୟେ ଆଉ ନଚଳ ଧୀରେ
ରହ ଗୋ ଚନ୍ଦ୍ରବଦନୀ ମଧୁକଳକଣ୍ଠୀ ଧନୀ
ମତିଗତି କହିବ କି କୋମଳ ଗିରେ
ଅବଲୋକି ବହତୀ ତୀରେ
ବିସ୍ମିତ ହୁଅନ୍ତେ ତୃଷା ନଯାଏ ନୀରେ ।
ବଳିନି କି ତିଳେ ପ୍ରୀତି ଶାଣିତ କଟାକ୍ଷେ ନିତି
ଆହତ କରୁଛ ଯହିଁ ମରମେ ଜାଣି
କିବା କଳି କାଳରୀତି ଭାଳି ଭରିଅଛ ଭୀତି
ବିନ୍ଧୁଅଛ ମାରଶର ଉରଜେ ଟାଣି
ବିଲକ୍ଷଣ ଭ୍ରୂଭଙ୍ଗୀ ଠାଣି
ବିବଶ କରଇ ତନୁ ଆପାଦପାଣି ।
ଦଂଶନ ନପାରେ ସହି ଦୂରୁ ଦଣ୍ଡେ ଚାହିଁ ରହି
ଦରହାସ ବିମ୍ବାଧରୀ କାଞ୍ଚନମୁଖେ
ଦେଲି ମନକଥା କହି ଶୁଣି ରଖ ପ୍ରାଣସହୀ
ଆଶାଫୁଲ ଗୁନ୍ଥେ ଯାହା ସପନସୁଖେ
ମାରିବ କି ଦୁଃସହ ଦୁଃଖେ
ସହମତି ଥିଲେ କହ ପୁଙ୍ଖାନୁପୁଙ୍ଖେ ।
ମିଳନ ବିହୁନେ ଯହିଁ ମାରଣେ ଦେଇଛ ଦହି
ଭ୍ରମିତ ମାତଙ୍ଗ ପ୍ରାୟେ ଉଦ୍ଦାମ ପ୍ରାଣେ
ବିଷାଦିତ ଏ' ବିରହୀ ଅବସାଦ କିବା ତହିଁ
ଫେଡିବ ପ୍ରଖର ତୁମ ଉଦ୍ଦୀପ୍ତ ବାଣେ
ଆଦିରସ ଭାବ ପ୍ରମାଣେ
ରସବତୀ ଭାବିନୀ ଗୋ ଅନ୍ତର ଜାଣେ ।
ଛଇଳା ଛଟକ ହସ ଚିତ୍ତ ଏ' ନିଶ୍ଚୟ ବଶ
କଲାଣି ବୋଲି ତ ଭଲେ ସରୁନି ଦିନ
ଶୃଙ୍ଗାର ଯେମନ୍ତ ରସ ମିଳେ କାହୁଁ ସୁଖଯଶ
ରସାତଳେ ରହିଛି ଯା' ଏହାଠୁ ଭିନ୍ନ
ଗୁଣଧାମେ ନଗୁଣ ହୀନ
ସ୍ବଚ୍ଛନ୍ଦେ ଯୁଗଳ ଛନ୍ଦେ ହୋଇବା ଲୀନ ।
ଏହିକ୍ଷଣି କ୍ଷୀଣୋଦରୀ ଆସ ଆଲିଙ୍ଗନେ ଧରି
ନିମିଷେ ପ୍ରଣୟରସେ ଯାଆନ୍ତି ଦ୍ରବି
ସଙ୍ଗିନୀ ରୂପରେ ବରି ରତି ନିବେଦନ କରି
ସଙ୍ଗତେ ସଙ୍ଗମସୁଖ ପାରନ୍ତି ଲଭି
ଅବଲୋକି ଅଧର ଛବି
ଜବାକୁସୁମେ ବିଭୋର ରସିକ କବି ।
ପ୍ରୀତି ବିନେ ପ୍ରାଣ ତୁଚ୍ଛ କିଲାଗି ପଛକୁ ଘୁଞ୍ଚ
ମୋହିନୀ ଗୋ ଦୂରେ ଆଉ ନହୁଅ ଛିଡ଼ା
ସଘନ ସୁଢଳ ଉଚ୍ଚ କୁମ୍ଭସମ ବେନି କୁଚ
ପାରଦର୍ଶୀ ଝିନବାସେ ନଦେଉ ପୀଡା
ଆସ ପରିହରି ଗୋ ବ୍ରୀଡା
କଳା କଉତୁକେ ସୁଖେ ରଚିବା କ୍ରୀଡା ।
ମଧୁମତୀ ମଧୁବାଳା ମଧୁକରେ ମଧୁଶାଳା
ସମର୍ପି ଦେବା ହିଁ ସିନା ଆଦିମ ରୀତି
ମନ ସୁମନର ମାଳା ଘେନି ହର ତନୁଜ୍ବାଳା
ପରିଣୟେ ପରଖି ମୋ' ପ୍ରଣୟ ପ୍ରୀତି
ନିଃସଂଶୟେ ଛାଡ଼ ଗୋ ଭୀତି
ପ୍ରତୀକ୍ଷା ତିତିକ୍ଷା ସଖ୍ୟେ ନଜାଳୁ ନିତି ।
ଚାତକନୟନେ ଜାଗି ଅବିରାମେ କାମ ଲାଗି
ଅନିଷାରେ ନିଶା ବିତେ ଜ୍ବରରେ ଜଳି
ଅନୁଗତେ ଅନୁରାଗୀ ନିରତେ ସୁରତି ମାଗି
ଅସ୍ଥିର ଉନ୍ମନ ଯହିଁ ଚପଳ ଭଳି
ଝଷାପାଙ୍ଗୀ ପ୍ରସଙ୍ଗେ ଚଳି
ପ୍ରବେଶି ଆଶ୍ଳେଷେ ମୋର ରଖ ଏ' ଅଳି ।
ସିଂହକଟି ମଧ୍ୟଦେଶ ନୀବିବନ୍ଧେ କୃଷ୍ଣକେଶ
ଖେଳି ମେଖଳାକୁ ଛୁଇଁ ଚୋରାଏ ଚିତ୍ତ
ଦୁର୍ଲ୍ଲଭ ମୋହିନୀବେଶ ଅଙ୍ଗଭଙ୍ଗୀ ନିର୍ବିଶେଷ
ରମ୍ଭାଉରୁ ଦେଖି ଦୂରୁ ସମ୍ମୁଖେ ସ୍ଥିତ
ଶୃଙ୍ଗାରକେ ହୁଅ ଗୋ ପ୍ରୀତ
ଚୁମୁତ୍କାରେ ଚୁମି କରେ ଭଣିଲି ଗୀତ ।
ଶବ୍ଦଟୀକା : ପୀନ - ବର୍ତ୍ତୁଳ , ଉତ୍ପଳ - ପଦ୍ମ/କଇଁ , କରିଣୀ - ହସ୍ତିନୀ , କଳକଣ୍ଠୀ - ମୟୂରୀ , ଧନୀ - ଯୁବତୀ , ବହତୀ - ନଦୀ , ଶାଣିତ - ତୀର୍ଯ୍ୟକ/ଧାରୁଆ , ମାତଙ୍ଗ - ହସ୍ତୀ , ଉଦ୍ଦୀପ୍ତ - ଉତ୍ତେଜକ , ମାରଶର - କାମବାଣ , ଆଦିରସ - ଶୃଙ୍ଗାର , ଭାବିନୀ - ସୁଲକ୍ଷଣଯୁକ୍ତା , ଛଇଳା - ବିଳାସଭଙ୍ଗୀଯୁକ୍ତା , ଛଟକ - ଶୋଭା , ବ୍ରୀଡା - ଲଜ୍ଜା , ମଧୁକର - ଭ୍ରମର , ପରିଣୟ - ବିବାହ , ତିତିକ୍ଷା - ସହିଷ୍ଣୁତା , ସଖ୍ୟ - ନିଜଲୋକ , ଉନ୍ମନ - ବ୍ୟାକୁଳ , ଝଷାପାଙ୍ଗୀ - ମୀନନୟନା , ମେଖଳା - ଅଣ୍ଟାସୂତା , ରମ୍ଭାଉରୁ - କଦଳୀ ଗଛ ପ୍ରାୟ ଜଙ୍ଘ , ଶୃଙ୍ଗାରକ - ସିନ୍ଦୂର , ଚୁମୁତ୍କାର - ଚୁମ୍ବନର ଶବ୍ଦ ।
ପ୍ରସନ୍ନ କୁମାର ମାଦଳା