STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ରଙ୍ଗର ପର୍ବ ହୋଲି

ରଙ୍ଗର ପର୍ବ ହୋଲି

1 min
209


“ରାଗ-ବରାଡି-ଆଷାଢ ଶୁକ୍ଳବାଣୀ”


----- ------(୧)------ --------

ଶରତ ଅନ୍ତେ ବସନ୍ତ ଆଗମେ

ହସଇ ପ୍ରକୃତି ଫୁଲ ସ୍ୟନ୍ଦନେ

ବହଇ ମଳୟ ଚନ୍ଦନ ବନୁ

କାମଦେବ ଧରି ଫୁଲର ଧନୁ

କରନ୍ତି ମୋହିତ

ବସନ୍ତେ ବିଭୋର ହୁଏ ଜଗତ ।। 

        (୨)

ଫାଲଗୁନ ଶେଷ ଦୋଳ ପୁନେଇ

ଦୋଳେ ଝୁଲୁ ଥାନ୍ତି କଳା କହ୍ନାଇ

ଫଗୁରଙ୍ଗେ ରଙ୍ଗ ଦିଶଇ କାନ୍ତି

ରାଧାରାଣୀ ସଙ୍ଗେ କୃଷ୍ଣଙ୍କ ପ୍ରୀତି

ବିଭୋର ଚିତରେ

ରଙ୍ଗ ଖେଳୁଥାନ୍ତି ଆନନ୍ଦ ଭରେ ।।

    (୩)

ରାଧା କୃଷ୍ପ ସଙ୍ଗେ ଗୋପବାଳକ

ଗୋପଗୋଇ ମିଳି ଗାଇଣ ଗୀତ

ଲଉଡି ଖେଳନ୍ତି ଗୋପ ଦାଣ୍ଡରେ

ଶିଂଘା,ମହୁରୀ ମର୍ଦ୍ଦଳ ସଙ୍ଗରେ

ଉଛୁଳି ଉଠଇ

ସରଗେ ଦେଖନ୍ତି ଦେବତା ରହି ।।

    (୪)

ସମାଜ ଗଠନେ ରଙ୍ଗ ପରବ

ଭାଇ ଭାଇ ମିଶି ଗେଲ ଗରବ

ହୃଷ୍ଟ ମନେ ଗାଇ ଗୋବିନ୍ଦ ନାମ

ରଙ୍ଗ ଖେଳୁଛନ୍ତି ରାମ ସୁଦାମ

ରଙ୍ଗ “ପିଚକାରୀ

ହସ୍ତେଧରି” ନାଚେ ବିଶ୍ଵ ବିହାରୀ ।।

    (୫)

ହିରଣ୍ୟକଷିପୁ ଭଗ୍ନି ହୋଲିକା

ଭକତ ପ୍ରହ୍ଲାଦେ ଛନ୍ଦ କରିଲା

କୋଳେ ଧରି ସଂଯୋଗିଲା ଅନଳ

ରଖିଲେ ଭକତେ ଭକ୍ତ ବତ୍ସଳ

ମରିଲା ରାକ୍ଷସୀ

ଖୁସି ରେ ଖେଳିଲେ ନଗର ବାସି ।।

    (୬)

ଆଜି ସେ ଲଗ୍ନ ହୋଲିକା ଦହନ

ଦ୍ଵାପରେ ଖଳନ୍ତି ମଧୁସୂଦନ

ପଳାସ,ଶିମୁଳି,କୃଷ୍ଣଚୂଡାର

ପ୍ରକୃତି ଉଡାଏ ରଙ୍ଗ ଅବିର

କୁମ୍ଭାଟୁଆ ହୁଟ

ପିକ ଗାଉଅଛି ବସନ୍ତ ଗୀତ ।।

    (୭)

କେତେ ମିଠା ବାସ୍ନା ମହକି ଯାଏ

ସୁରଭିତ ପୁଷ୍ପ ମହୁ ଝରାଏ

ଭ୍ରମର ଭ୍ରମରେ ଭ୍ରମେ ଗୁଞ୍ଜନେ

ବୀଣାପାଣୀ ବୀଣା ଶୁଭେ ସେ ସ୍ଵନେ 

ବସନ୍ତ ଉତ୍ସବ

ପାଳନ୍ତି ଜଗତେ ରଙ୍ଗ ପରବ ।।

    (୮)

କଳ କଳ ନାଦେ ତଟିନୀ ଜଳେ

ସୂର୍ଯ୍ୟ,ଚନ୍ଦ୍ର,ତାରା ଆକାଶ ଖେଳେ

ଲାଗୁଛି ସତେକି ନୀଳ ଦର୍ପଣ

ପ୍ରକୃତି ଧରାରେ କରେ ଅର୍ପଣ

ପ୍ରସାଧାନ ଆଶେ

ରଙ୍ଗ ତରଙ୍ଗରେ ମୁଖ ବିଭାସେ ।।

    (୯)

ହୋଲିରେ ରଙ୍ଗର ହୁଏ ବରଷା

ରଙ୍ଗେ ଶୋଭାବନ ଦିଶଇ ରସା

ତିନିପୁର ଲୋକ ହରଷ ଭୋଳେ

ରଙ୍ଗ ଖେଳୁଛନ୍ତି ମାତି ସକଳେ

ଏ ରଙ୍ଗ ପରବ

ବିମାନେ ବିଜୟ ରାଧା ଗୋବିନ୍ଦ ।।

    (୧୦)

ଜାତି,ଧର୍ମ,ଗୋତ୍ର ଅଭେଦ୍ୟ ଦୁର୍ଗ

ଭେଦ କରିଅଛି ଏ ରଙ୍ଗ ପର୍ବ

ପବିତ୍ର ଉତ୍ସବ ପବିତ୍ର ମନେ

ଭାଇ ବନ୍ଧୁ ମିଳି ସକଳ ଜନେ

ଭୁଲି ଭେଦଭାବ

ଆସ ପାଳିବାରେ ରଙ୍ଗ ପରବ ।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics