ରଙ୍ଗ ତୋର ଯିବ ଛାଡ଼ି
ରଙ୍ଗ ତୋର ଯିବ ଛାଡ଼ି
ଜୟ ଜୟ ଜଗନ୍ନାଥ ନୀଳାଦ୍ରୀ ମଣ୍ଡନ l
ଜଗତରେ ଉଡ଼ାଇଛ ପତିତ କେତନ ll
ବିଜୟ କରିଛ ପ୍ରଭୁ ମହୋଦଧି ତୀରେ l
ଉତ୍କର୍ଷକଳାର ଦେଶ ପୂଣ୍ୟ ଉତ୍କଳରେ ll
ଘୋଷଯାତ୍ରା କରି କଲ ଭକ୍ତଗଣ ତୋଷ l
ହଳି ଭଦ୍ରା ସାଥେ ଧରି ପ୍ରଭୁ ଜଗଦୀଶ ll
ବିଜୟ ହୋଇଛ ଯାଇ ଗୁଣ୍ଡିଚା ମନ୍ଦିରେ l
ଦର୍ଶନ କରନ୍ତି ଭକ୍ତେ ମହା ଉଲ୍ଲାସରେ ll
ଆଡ଼ପ ଅବଢ଼ା ପାଇ ଭକତେ ସନ୍ତୋଷ l
ଲକ୍ଷ୍ମୀ ଶ୍ରୀମନ୍ଦିରେ ବହିଲେଣି ମହାରୋଷ ll
ଭାଙ୍ଗି ଦେଇଛନ୍ତି ତୋର ରୋଷଘର ଚୁଲି l
ଭାରିଯାକୁ ନେବା ପାଇଁ କିମ୍ପା ଗଲୁ ଭୁଲି ll
ନାରୀମରା ନୀତି ତୋର କାଳେ ଗଲା ନାହିଁ l
ରାଧା ମୀରା ଝୁରି ମଲେ କାଳିଆ କହ୍ନାଇ ll
ଏବେ ପାଳି ଅଟେ ମାଆ ସାଗର ତନୟୀ l
ପୁରୁଣା ସେ କଥା ବୋଧେ ଭୁଲିଗଲୁ ତୁହି ll
ଆଡ଼ପ ମଣ୍ଡପେ ବିଜେ ଖାଉ ତୁ ଅବଢ଼ା l
ମନେନାହିଁ ଦିନେ ହୋଇଥିଲ ଲକ୍ଷ୍ମୀଛଡ଼ା ll
ଭିକ୍ଷାଥାଳ ହାତେ ବାରଦ୍ୱାରେ ଥିଲ ବୁଲି l
ଅନ୍ନ ମୁଠେ ନ ପାଇଲ ଖାଇ ମାଡ଼ ଗାଳି ll
ମାଆ ମୋ କରୁଣାମୟୀ ସାଗର ଦୁଲଣୀ l
ରଙ୍ଗ ତୋର ଯିବ ଛାଡ଼ି ଆରେ ନୀଳମଣି ll
ଜ୍ୟେଷ୍ଠ ଭାଇଙ୍କ ସାଙ୍ଗରେ କରି ପରାମର୍ଶ l
ବେଳ ହୁଁ ସତର୍କ ହେବ ନମଃ ଜଗଦୀଶ ll
