ରଙ୍ଗ୍ ନମ୍ବର
ରଙ୍ଗ୍ ନମ୍ବର
ମୋବାଇଲ୍ ବଟମ ଟିପୁ ଟିପୁ ଥରେ
ଲାଗିଗଲା ଗୋଟେ ରଙ୍ଗ୍ ନମ୍ବର
ରଙ୍ଗ୍ ନମ୍ବର ବୋଲି କହି ଦେଲା କାଟି
କାନ ମୋ ଶୁଣିଲା ମଧୁର ସ୍ୱର ।।
କାହିଁକି କେଜାଣି ମନ ବୁଝିଲାନି
ଲଗାଇଲି ତାକୁ ଥରକୁ ଥର
ପୁଣି ସେହି କଥା ଶୁଣି ଦେଲା ବ୍ୟଥା
ଦୁଃଖରେ ଭାଙ୍ଗିଲା ମନଟି ମୋର ।।
ଶୁଭୁଥିଲା କାନେ ପ୍ରତି ତାନେ ତାନେ
ମଧୁର ସ୍ଵରର ପ୍ରତି ଧ୍ଵନିଟି
ଶୟନେ ସପନେ ଭାବୁଥିଲି ମନେ
ମୋ ମନ ରାଇଜ ସେଇ ପରୀଟି ।।
ହଠାତ୍ ବାଜିଲା ମୋବାଇଲ୍ ପରା
ନମ୍ବରଟି ଥିଲା ମୋ ପ୍ରେମିକାର
ସତେ ମୁଁ ପାଇଛି ସରଗର ଚାନ୍ଦ
ଡେରି ନ କରି ମୁଁ ଦେଲି ଉତ୍ତର ।।
ମନ ଭୁଲାଣିଆ କହି କେତେ କଥା
ମନକୁ ନେଲା ସେ ନିମିଷେ କିଣି
ଆନନ୍ଦରେ ମନ ନାଚି ଉଠୁଥିଲା
ସତେ କି ଆସିଛି ସରଗ ଜିଣି ।।
କଥାରେ କଥାରେ କେତେ କଥା ହୋଇ
ପ୍ରେମର ବନ୍ଧନେ ହୋଇଲୁ ବନ୍ଦୀ
ଦେଖା କରିବାକୁ ଡାକୁଥିଲା ସିଏ
କୁମ୍ଭୀର କାନ୍ଦଣା ମୋ ଆଗେ କାନ୍ଦି ।।
ଠିକଣାଟି ଦିଏ ଅନୁରୋଧେ କୁହେ
ଦେଖା ହେବ ମୋତେ ଆଜି ନିଶ୍ଚୟ
ପ୍ରେମରେ ପାଗଳ ହେଲା ମନ ମୋର
ବୁଝି ପାରିଲିନି ତା' ଅଭିନୟ ।।
ଠିକଣା ଯାଗାରେ ପହଞ୍ଚିଲା ପରେ
ଯାହା ମୁଁ ଦେଖିଲି ଆଖି ଆଗରେ
ଦୁଇଟି ଛୁଆଙ୍କୁ ଧରି ଜଣେ ନାରୀ
ଅପେକ୍ଷା କରିଛି ଚାନ୍ଦିନୀ ପରେ ।।
ପଡ଼ି ସନ୍ଦେହରେ କଲ୍ କଲି ଥରେ
ମୋବାଇଲଟା ତା'ର ବାଜି ଉଠିଲା
ଜାଣିବା ଆଗରୁ ଗାଲରେ ପିଠିରେ
ଦୁମ୍ ଦୁମ ହୋଇ ତାଳ ପଡ଼ିଲା ।।
ଚାରି ଦିଗୁ ଚାରି ଜଣ ମୋତେ ଧରି
ଉତ୍ତମ ମାଧ୍ୟମ ପୁଳାଏ ଦେଲେ
ଅଧା ବୁଢ଼ୀ ପ୍ରେମେ ପାଗଳ କହି
ନେଇ ଠୁକି ଦେଲେ ମୋତେ ଥାନାରେ ।।