ନମଃ ନମଃ ବିଶ୍ୱଧାତ୍ରୀ
ନମଃ ନମଃ ବିଶ୍ୱଧାତ୍ରୀ
ଦଶ ପ୍ରହର ଧାରିଣୀ ନମସ୍ତେ ଗିରିଜା l
ନମସ୍ତେ କରୁଣାମୟୀ ମାତ ଦଶଭୁଜା ll
ଅବିଦ୍ୟାନାଶିନୀ ମାତ ତୁହି ଦଶବିଦ୍ୟା l
ତିନିରୂପ କାଳି ତାରା ଷୋଡ଼ଶୀ ପ୍ରସିଦ୍ଧା ll
ଭୁବନେଶ୍ଵରୀ, ଭୈରବୀ ମାତ ଛିନ୍ନମସ୍ତା l
ଯୋଗ୍ନିଗଣେ ତୃପ୍ତକଲୁ କାଟି ନିଜ ମଥା ll
ଧୂମାବତୀ ବଗଳା ମାତଙ୍ଗୀ ମା କମଳା l
ନୃମୁଣ୍ଡମାଳିନୀ ଗଳେ ଲମ୍ବେ ମୁଣ୍ଡମାଳା ll
ପାର୍ବଣ ଋତୁ ମାଆ ଲୋ ପର୍ବ ଦଶହରା l
ଦିବ୍ୟଧାମୁ ଓହ୍ଲାଇ ମା' ଆସିଥିଲୁ ଧରା ll
ଦଶ ପାପ ହାରିଣୀ ମା' ଦନୁଜ ଦଳିନୀ l
ବିଶ୍ଵଜନନୀ ଅମ୍ବିକେ ବିଶ୍ଵ ବିନୋଦିନୀ ll
ସ୍ନେହବୋଳା କଥାମାନ ଗଲୁ ମାଆ କହି l
ସନ୍ତାନରେ ସ୍ନେହବହି ମାଆ ସ୍ନେହମୟୀ ll
କରୁଣାମୟୀ ଜନନୀ ତୁ ଦୁଃଖ ପଶୋରା l
ମାଆବିନା ଆହା ପଦ କେ କହିବ ପରା ll
ଅଭୟ ଆଶ୍ରୟ ମାଆ ତୋ ପଣତ କାନି l
ଶିର ମୋର ମଣ୍ଡୁଥାଉ ତୋ ଚରଣବେନି ll
ଦିବ୍ୟଧାମେ ମାତ ଆଜି ଯାଉଅଛୁ ଫେରି l
ସନ୍ତାନଙ୍କୁ ନଦେବୁ ମା ମନରୁ ପାଶୋରି ll
ନମସ୍ତେ ନମସ୍ତେ ମାଆ ସତ୍ୟ ସନାତନୀ l
ନମଃ ନମଃ ବିଶ୍ଵଧାତ୍ରୀ ଜଗତକାରେଣୀ ll
