ରକତ ଭାସୁଛି ବାହାନଗା ରେ
ରକତ ଭାସୁଛି ବାହାନଗା ରେ
ବୁକୁ ଥରେଇଲୁ କାହିଁକି ରେ ଜଗା
କି କଲା ତୋ ବାହାନଗା l
କର ଦେଲୁନାହିଁ କରମଣ୍ଡଳ ରେ
ନାହିଁ କିରେ ତୋତେ ଲଗା ll 01 ll
ଛାତିକୁ ଚିରିଲୁ କଲିଜା କାଢ଼ିଦେଲୁ
ବୁହାଇଲୁ ରକ୍ତନଦୀ l
ଦେଖିଦେଲେ ଦୃଶ୍ୟ ରହୁନାହିଁ ହୋସ
ହୃଦୟ ଯାଉଛି କାନ୍ଦି ll 02 ll
ରକ୍ତରେ ସ୍ନାହାନ କରିଲୁରେ ଜଗା
ଯାଇ ବାହାନଗା ତୁହି l
ସ୍ନାନ ମଣ୍ଡପରେ ଏସନ ତୁହି କିରେ
ଆଉ ଗାଧୋଇବୁ ନାହିଁ ll 03 ll
ଶତଅଷ୍ଟୋତ୍ତର କଳସର ନୀର
ତୋତେ କି ଅଣ୍ଟିବ ନାହିଁ l
ସହସ୍ର ଲୋକର ବୁହାଇ ରୁଧିର
ଯାଉ ଗାଧୋଇବା ପାଇଁ ll 04 ll
ବୁହେ ଅଶ୍ରୁଜଳ ଭାରତ ଯାକର
ଭାରତେ ଏହା ବିରଳ l
କାଳ ହେଲା ଆଜି ଏ କରମଣ୍ଡଳ
ଶବ୍ଦ କରି ବିକଟାଳ ll 05 ll
ଟାଳିଲୁନି କାଳ କାହିଁକି କାଳିଆ
ତୁହି ପରା ମହାକାଳ l
ଆଗକୁ ଆସୁଛି ତୋର ରଥଯାତ
କେ ଚଢ଼ିବ ଆଉ ରେଳ ll 06 ll
ବିପତ୍ତି ନୁହେଁ ତ ଏ ମହା ବିପତ୍ତି
ବୁଡିଗଲା କେତେ କୁଳ l
ସମ୍ପତ୍ତି ଥାଇ ବି ହରାଇ ଥଳକୂଳ
ଅନାଥ ହେଲେ ବୃଦ୍ଧ ବାଳ ll 07 ll
ନାଆଁକୁ ମାତର ପତିତପାବନ
ପତିତ ପ୍ଲାବନ କଲୁ,
ଶୁଭ ଯାତ୍ରାକୁ ତୁ ଶେଷଯାତ୍ରା କରି
ଭାଗ୍ୟ ଡୋରୀ କାଟି ଦେଲୁ ll 08 ll
ବିଶ୍ୱ ବ୍ରହ୍ମାଣ୍ଡର କରୁଣା ସାଗର
ଉତ୍କଳ କାଳିଆ କାହ୍ନା l
ନକରି କରୁଣା କଲୁ ଦୁର୍ଘଟଣା
ଉଛୁଳି ପଡେ କାନ୍ଦଣା ll 09 ll
ତୋ ସ୍ନାହାନ ଆଜି ଦେଉଛି ବରଜି
ଗରଜି କାନ୍ଦୁଛି ମନ ll
ଉତୁରୀ ଯାଇଛି ସବୁ ସୁଖରାଜି
ସରଜି କଲୁ ତୁ ଲୀନ ll 10 ll
ହୀନ ଭାବିଲୁ ତୁ ଏ ଭକ୍ତ ବୃନ୍ଦଙ୍କୁ
ରକ୍ତରେ କରୁଛୁ ସ୍ନାନ l
ରୋଦନ ନକରି ମେଳଣ କରୁଛୁ
ଗୋଟି ପହଣ୍ଡିରେ ମନ ll 11 ll
ଅକାଳ ମୃତ୍ୟୁ ଦେଲୁ ଯାହାକୁ କାଳିଆ
ନେଏ ତାଙ୍କୁ ସ୍ବର୍ଗପୁରେ,
ହୋଇରହ ସାହା ଆରେ ଚଉବାହା
ଯେ ବଞ୍ଚିଛି ପରିବାରେ ll 12 ll
