ରକ୍ଷାକର ଚକ୍ରଧାରୀ
ରକ୍ଷାକର ଚକ୍ରଧାରୀ
ମାୟାର ସରପ ଦଂଶନ କରିଛି
ବିଷ ତ ଯାଇଛି ଚରି
କାମ କ୍ରୋଧ ମୋହ ମୁଣ୍ତକୁ ଘାରିଛି
ରକ୍ଷାକର ଚକ୍ରଧାରୀ ॥
ବିଷର ପ୍ରଭାବେ ବିଷାକ୍ତ ମୋ ଦେହ
ଛଟପଟ ଦିନ ରାତି
କରୁଣା ସାଗର କରୁଣା ତ କର
ଚାହେଁ ସଂସାରୁ ମୁକତି ॥
ଭଲ ଭେଲ କିଛି ପରଖି ପାରୁନି
ମଥା ଯାଉଅଛି ଘୁରି
ପଥହୁଡା ମୁଁହି ଝୁଣ୍ଟୁଅଛି ଖାଲି
ଦୀନବନ୍ଧୁ ଦଇତାରି ॥
ପରମାତ୍ମା ବୋଲି ହେଜି ନପାରିଲି
ଭୁଲିଗଲି ପ୍ରଭୁ ତୋତେ
ବେନି କର ଜୋଡି ମାଗୁଛି ଏତିକି
ବାଟ ଦେଖା ତୁହି ମୋତେ ॥