ରକ୍ଷା ସାରଣୀ ରାକ୍ଷୀ
ରକ୍ଷା ସାରଣୀ ରାକ୍ଷୀ
ଧାରା ଶ୍ରାବଣେ ପ୍ରସସ୍ଥ ବାରିଦ ମାଳାକୁ ଦେଖି ,
ଆସୁଛି ଗହ୍ମା ପୂର୍ଣ୍ଣିମା ସଜ ହୋଇଥା ଲୋ' ସଖୀ ।
ସ୍ୱାଦିଷ୍ଟ ମିଷ୍ଠାନ୍ନ ଭଳିକି ଭଳି ବଜାରୁ ଆଣିବା ଚାଖି ,
ରାକ୍ଷୀ ବାଛିବା ସୁନ୍ଦର ପୁଣି ଭାଇମାନଙ୍କ ମନଲାଖି ।
ଚାହିଁ ତ ଥିବ ଦେଉଳେ ବଳିଆଭାଇ ଅପଲକ ଆଖି ,
ବଉଳା, ଚାନ୍ଦ ପାଇଁ ରେଶମିଡୋରି ଦେବା ଆଗୁଆ ରଖି ।
ଚାଉଳ ଚୂନା, ଛେନା ନଡିଆ ପୂର ସଅଳ ରଖ ସଜାଡି,
ଜନମ ଦିନେ ବଳଦେବଙ୍କୁ ଦେବା ପିଠା କାକରା ବାଢି ।
ଦ୍ୱାପରେ କୃଷ୍ଣା ଚିରି ପଣତ ତକ୍ଷଣେ ଦେଇଥିଲେ ଭିଡି ।
କୃଷ୍ଣ କ୍ଷତାଙ୍ଗୁଷ୍ଠିରୁ ଲହୁଠୋପା ଯେବେ ପଡିଥିଲା ନିଗିଡି ,
ଯାଜ୍ଞସେନୀ ବିବସନା କାଳେ ଦୁଶାସନ ବସ୍ତ୍ର ଥିଲା ଭିଡି ,
ଲଜ୍ଜା ନିବାରଣେ ଗୋବିନ୍ଦ ସୁଝିଲେ ଅକ୍ଷୟ ପାଟଶାଢୀ।
ଛାଡିଲେ ବିଷ୍ଣୁ ବୈକୁଣ୍ଠପୁର ପାଇ
ବଳୀ ଭକ୍ତି ଅମ୍ଳାନ ,
ହରି ଫେରାଇବା କାରଣେ ଲକ୍ଷ୍ମୀ ପାଞ୍ଚିଲେ ଉପାୟ ମାନ ।
ବାନ୍ଧିଲେ କମଳା ରାକ୍ଷୀ ହସ୍ତେ , ବଳୀରାଜାକୁ ଭାଇ କରି ,
ଫେରିଲେ ଦେବୀ ବୈକୁଣ୍ଠ ନିଶ୍ଚିନ୍ତେ, ସଙ୍ଗେ ଥିଲେ ହରି ।
ମନେପଡେ ପୁଣି ସଖୀ ଇତିହାସ ପୃଷ୍ଠାର ଅପୂର୍ବ ଗାଥା ,
ହୁମାୟୁନକୁ ଦେଇ ରାକ୍ଷୀ, କର୍ଣ୍ଣାବତୀ ମହତ ରଖିବା କଥା ।
ବୁଝନ୍ତିନି ଲୋ, ଏ ବନ୍ଧନ ମହତ୍ତ୍ଵ ଆଜି କେହି କେହି ,
ଉପହାର ଅର୍ଥ ଲୋଭେ ବାନ୍ଧନ୍ତି ନୂଆ ଭାଇ କହି କହି ।
ଏ ବନ୍ଧନ ତ ଯୁଗ ଯୁଗର ହୋଇଛି ରକ୍ଷା ସାରଣୀ ,
ସୁରକ୍ଷା ମନାସି ଭାଇର ବାନ୍ଧିଦିଏ ରାକ୍ଷୀ ଭଉଣୀ ।
କରିଥାଏ ଭାଇ ତା'ର କର୍ତ୍ତବ୍ୟ ସମସ୍ତ ସମ୍ପାଦନ,
ଠିଆହୋଇ ପାଖେ ସୁଖେଦୁଃଖେ ରଖେ ରାକ୍ଷୀର ମାନ।