ରଜ ଦୋଳି ଗୀତ
ରଜ ଦୋଳି ଗୀତ
ଆକାଶେ ଉଇଁଲା ଚାନ୍ଦ (ଘୋଷା)
ତୋ ମୁଖ ଦିଶୁଛି ସତେ କୁମୁଦ
ସତେ କୁମୁଦ ଲୋ
କରନା ଆଉ ତୁ ଛନ୍ଦ
ବଉଳ ଲୋ ,କରନା ଆଉ ତୁ ଛନ୍ଦ ।
ବାଜିଲା ରଜର ବାଜା (ଘୋଷା)
ତୋ ପାଇଁ ପାଉଛି ମୋ ଭାଇ ସଜ୍ଜା
ମୋ ଭାଇ ସଜ୍ଜା ଲୋ
ରଜରେ କରି ଦେ ତାଜା
ବଉଳ ଲୋ , ରଜରେ କରିଦେ ତାଜା ।
ଗଛରେ ଲଗାଇ ଦୋଳି (ଘୋଷା)
ମୋ ଭାଇ କରୁଛି ତୋ ପାଶେ ଅଳି
ତୋ ପାଶେ ଅଳି ଲୋ
ନକର ତା ସଙ୍ଗେ ଅଳି
ବଉଳ ଲୋ ,ନକର ତା ସଙ୍ଗେ ଅଳି ।
ବାଉନ ମସଲା ପାନ (ଘୋଷା)
ସେଥିରେ ବୋଳିଛି ପୀରତି ପ୍ରେମ
ପୀରତି ପ୍ରେମ ଲୋ
ଲିଭିବ ତୋ ମୁହଁ ତମ
ବଉଳ ଲୋ , ଲିଭିବ ତୋ ମୁହଁ ତମ ।
ସକାଳୁ ଦୋକାନ ଗଲା
ପୋଡ଼ ପିଠା ଖଣ୍ଡେ ଅର୍ଡର୍ ଦେଲା
ଅର୍ଡର ଦେଲା ଲୋ
ଖାଇଲେ ଝୁଲିବୁ ଝୁଲା
ବଉଳ ଲୋ , ଖାଇଲେ ଝୁଲିବୁ ଝୁଲା ।
ସୁନା ପେଣ୍ଡି ଫୁଲ ଝରା (ଘୋଷା)
ନାଇଲେ ଦିଶିବୁ ଚାନ୍ଦଠୁ ତୋରା
ଚାନ୍ଦଠୁ ତୋରା ଲୋ
ଲୁଚି ଯିବେ ଜହ୍ନ ତାରା
ବଉଳ ଲୋ, ଲୁଚି ଯିବେ ଜହ୍ନ ତାରା ।
ପିନ୍ଧିବୁ ଗୋଲାପି ପାଟ (ଘୋଷା)
ମୋ ଭାଇ ମନଟା ଭାରି ଉଚାଟ
ଭାରି ଉଚାଟ ଲୋ
ରାଜି ହୁଅ ଫଟାଫଟ୍
ବଉଳ ଲୋ, ରାଜି ହୁଅ ଫଟାଫଟ୍ ।
ବଉଳ ପାଟକୁ ପିନ୍ଧି (ଘୋଷା)
ମିଛି ମିଛି କାନ୍ଦ ଆସବୁ କାନ୍ଦି
ଆସିବୁ କାନ୍ଦି ଲୋ
ମୋ ଘରେ ହୋଇବୁ ବନ୍ଦୀ
ବଉଳ ଲୋ ,ମୋ ଘରେ ହୋଇବୁ ବନ୍ଦୀ ।
ଆସିବ ଚଉଠି ରାତି (ଘୋଷା)
ଛାତିରେ ନରଖ ଛାତିଏ ଭୀତି
ଛାତିଏ ଭୀତି ଲୋ ଭାଇ ଥିବ ତୋର କତି
ବଉଳ ଲୋ , ଭାଇ ଥିବ ତୋର କତି ।
ଭାଙ୍ଗି ଦେ ଗୁମାନ ତୋର
ଏଇ ବର୍ଷ ରଜ ଶେଷ ଏଠାର
ଶେଷ ଏଠାର ଲୋ
ଆଗ ବର୍ଷ ମୋର ଘର
ବଉଳ ଲୋ, ଆଗ ବର୍ଷ ମୋର ଘର ।

