ରଜ ଅନୁଚିନ୍ତା
ରଜ ଅନୁଚିନ୍ତା
କୁଆଁରୀ ପର୍ବ ରଜ ଉତ୍ସବ
ଆସ ଲୋ ଆସ ସହୀ
ଦୋଳିରେ ବସି ଗାଇବା ହସି
ଉଛୁଳି ଉଠୁ ମହୀ ।
ସଜାଇ କେଶ ହୋଇବା ବେଶ
କନକ ଗୋରୀ ସାଜି
କରିବା ମେଳ ଲାଗିବ ଖେଳ
ସାହି ସାହିରେ ଆଜି ।
ସୂରୁଯ ଆସି ମିଥୁନ ରାଶି
ଛୁଇଁଲେ ଥାଇ ଖରା
ଜଳଦ ଆଶେ ମନ ଉଚ୍ଛ୍ବାସେ
ଚାହିଁ ରହିଛି ଧରା ।
ସ୍ବର୍ଗୀୟ ପ୍ରୀତି ମିଳନ ରୀତି
ବିହିଛି ବୋଲି ଧାତା
ରଜସ୍କା ରଙ୍ଗେ ସୃଷ୍ଟି ପ୍ରସଙ୍ଗେ
ଆତୁରା ପୃଥ୍ଵୀ ମାତା ।
ଦେଖ ଗଗନ ପ୍ରୀତି ମଗନ
ସଞ୍ଚାରେ ମେଘରାଶି
ମାଟିର ତାପ ଇନ୍ଦ୍ରଙ୍କ ଚାପ
ଖେଳାଇ ନେବ ନାଶି ।
ମେଘ ପ୍ରଳାପ ଶୁଣି କଳାପ
ଆନନ୍ଦେ ଊର୍ଦ୍ଧ୍ବେ ଟେକି
ବିଭୋର ଭାବେ ବନସ୍ତେ ରାବେ
ନୃତ୍ୟ ରଙ୍ଗରେ କେକୀ ।
ଦେଖି ସପନ କରି ବପନ
ଅକ୍ଷୟ ବୀଜ ମୁଠି
ଏ' ଶୁଭ ଦଶା ଚାହିଁଛି ଚଷା
ଅଙ୍କୁର ଯିବ ଉଠି ।
ବାଦ ବିବାଦ ଛାଡିଲେ ପାଦ
ମିଶାଇ ସମତାଳେ
ଆସ ସଙ୍ଗାତ ଛନ୍ଦିବା ହାତ
ଦୋଳି ଖେଳିବା କାଳେ ।
ଗୋଟିକୁ ଗୋଟି ସୁନ୍ଦର ଝୋଟି
ଘରେ ହୋଇଛି ସଜ୍ଜା
ଆସିବା ବୁଲି ହେବନି ଭୁଲି
ପିଠା ପଣାର ମଜା ।
ନଈ କୂଳରେ ଗଛ ମୂଳରେ
ବଡ଼ ହେଉ କି ସାନ
ସତକୁ ସତ ହୋଇ ଉଷତ
ଖାଇବା ଖିଲି ପାନ ।
ମାଟିର ପର୍ବ ମାଆର ଗର୍ବ
ଓଡିଶା ପାଇଁ ଯାହା
କୃଷି ପ୍ରଧାନ ରାଇଜେ ଧାନ
ଫଳିଲେ ଦିଶେ ରାହା ।
ବର୍ଷା ଋତୁରେ ପାଣି ଉତୁରେ
ନଈନାଳରେ ଭରି
ବାନ୍ଧିଲେ ବନ୍ଧ ନୋହିବ ମନ୍ଦ
ଅଭାବ ଯିବ ସରି ।
ଆମରି ଭାଇ ବାହାରେ ଯାଇ
ପେଟ ପାଟଣା ଆଶେ
କିପାଇଁ ଆଉ ସହିବେ ଦାଉ
ଅଯଥା ପରବାସେ ?
ଶପଥ ନେବା ମାଆର ସେବା
ଭୁଲିବା ନାହିଁ ଆମେ
ଉଦ୍ୟମ ବଳେ ଶସ୍ୟ ସମ୍ବଳେ
ସୁଖେ ଜୀଇଁବା ଗ୍ରାମେ ।