ରହସ୍ୟ
ରହସ୍ୟ
କଳି ଯୁଗ ଏହୁ କଳି ଉତ୍ତେଜନା
ବୁଝିବା ଟା ଅସମ୍ଭବ,
କେତେଯେ ରହସ୍ୟ ରହିଛି ଶ୍ରୀକ୍ଷେତ୍ର
କିଏବା ତାହା ଜାଣିବ।
ସତ୍ୟ ଭୂମି ପରା ଜଗନ୍ନାଥ ଭୂମି
ସତ୍ୟରେ ସବୁ ଜଡ଼ିତ,
ରହସ୍ୟର ଭୂମି ଦିଏଟି ସଂକେତ
ଦାରୁବ୍ରହ୍ମ ଆବିର୍ଭୂତ।
ବଡ଼ଦେଉଳର ଛାଇପରା କେବେ
ଭୂମିରେ ପଡେଟି ନାହିଁ,
ସାଗର ଗର୍ଜନ ନଶୁଭେ ଦେଉଳେ
ବିଚିତ୍ର ରହସ୍ୟ ତହିଁ।
ପକ୍ଷୀ ନବସନ୍ତି ବଡ଼ଦେଉଳରେ
ଅପୂର୍ବ ରହସ୍ୟ ଯହିଁ,
ସୁଦର୍ଶନ ଚକ୍ର ମନ୍ଦିର ଉପରେ
ସବୁ ଦିଗୁ ଏକ ତହିଁ।
ଭକ୍ତ ଦେଖିଥାଏ ଯେଉଁଦିଗୁ ତାକୁ
ଏକପ୍ରକାର ଟି ଚକ୍ର,
ବିଚିତ୍ର ମହିମା ଜଗନ୍ନାଥଙ୍କର
ଏହୁ ସୁଦର୍ଶନ ଚକ୍ର।
ବାୟୁ ବିପରୀତେ ବାନା ଉଡୁ ଥାଏ
ଆଶ୍ଚର୍ଯ୍ୟ ଲାଗେଟି ଦେଖି,
ସାତ ଟି ହାଣ୍ଡିରେ ଏକ ପରେ ଏକ
ବିଭ୍ରମ କରେ ଟି ଆଖି ।
ମହାପ୍ରସାଦ ଟି ହେଉଛି ତହିଁରେ
>
କାଠ ଜଳୁ ଅଛି ତଳେ,
ଏକ ସଙ୍ଗେ ହୁଏ କାଳିଆର ଭୋଗ
ରହସ୍ୟ ମନ୍ଦିର କଳେ।
ନୂଆବାନାଲାଗେ ପ୍ରତି ଦିନ ଯହିଁ
ଆଦି କାଳୁ ପ୍ରଚଳିତ,
ଦିନେ ନଲାଗିଲେ ହେବ ଅମଙ୍ଗଳ
ରହସ୍ୟ ଅଛି ଜଡ଼ିତ।
ବୈଜ୍ଞାନିକେ କାହିଁ ରହସ୍ୟ ସତ୍ୟତା
କେହୁ ନପାରନ୍ତି ବୁଝି,
ମାୟା ଜଗନ୍ନାଥ କିଏବା ବୁଝିବ
ଭକ୍ତହିଁ ପାରେଟି ବୁଝି।
ଦାରୁବ୍ରହ୍ମ ପରା ପ୍ରଭୁ ନାରାୟଣ
ତିନି ପ୍ରତିମୂର୍ତ୍ତି ତହିଁ,
ବଳରାମ ଭାଇ ଭଉଣୀ ସୁଭଦ୍ରା
କାଳିଆର ଭକ୍ତି ଯହିଁ।
ସେହୁ କୃଷ୍ଣ ରାମ ଅନାଦି ଅନନ୍ତ
ଜଗତ ଠାକୁର ସେହୁ,
ଜ୍ଞାନୀ ବୁଝି ଥାଏ ମହିମା ପ୍ରଭୁର
ପଢେ ଭାଗବତ ବହୁ।
ଧର୍ମସତ୍ୟପଥ ରଖି ଥାଏ ଯେହୁ
ସମଭାବ ମନ୍ତ୍ର ରଖେ,
ଅହିଂସାର ମନ୍ତ୍ର ଗୁଞ୍ଜେ ହୃଦୟରେ
ଚରଣରେ ଭକ୍ତି ରଖେ।
ଅପୂର୍ବ ମହିମା ଅପୂର୍ବ ରହସ୍ୟ
ନାହିଁ କେଉଁ ମନ୍ଦିରରେ,
ଦୃଷ୍ଟିଗୋଚର ଟି ପୁରୀ ମନ୍ଦିରରେ
ଏପରି ରହସ୍ୟ ତାରେ।