ରହସ୍ୟ
ରହସ୍ୟ
ରହସ୍ୟରେ ଭରା ଏ ସୃଷ୍ଟି ଟି ସାରା
ସୂର୍ଯ୍ୟ ଚନ୍ଦ୍ର ତାରା ନେଇ,
ସୂର୍ଯ୍ୟ ଚାରିପଟେ ଗ୍ରହ ବୁଲୁଥାନ୍ତି
ଦିନ ରାତି ହେଉଥାଇ ।
ଅଦୃଶ୍ୟ ଡୋରିରେ ବାନ୍ଧି ହୋଇ ସର୍ବେ
ଘୁରୁଥାନ୍ତି ନିଜ ପଥେ,
ରାତି ହେଲେ ସର୍ବେ ଦିଶନ୍ତି ଆକାଶେ
ଫୁଲଫୁଟା ଛାତ ସତେ ।
କେତେ କେତେ ଛାୟା ପଥ ରହିଛନ୍ତି
ଆକାଶ ମଧ୍ୟରେ ପୁରି,
କିଏସେ କରିଛି ଏସବୁର ସୃଷ୍ଟି
ସଭିଙ୍କୁ ଚକିତ କରି ।
ସମୟର ଚକ୍ର ଗଡୁଥାଏ ପୁଣି
ଋତୁ ବି ବଦଳୁଥାଏ,
ଜୀବନ ବଞ୍ଚିବା ପାଇଁକି ସଂସାରେ
ନୂଆ ସ୍ୱାଦ ବାଣ୍ଟୁଥାଏ ।
ଏକ ପରେ ଆନ ସଂସାରକୁ ଆସି
ପାଳୁଥାନ୍ତି ଏହି ଧରା,
ସତେକି ଅଦୃଶ୍ୟ ଇଙ୍ଗିତେ ଆସନ୍ତି
ଧରି ରୂପ ର ପସରା ।
ପୃଥିବୀ ପୃଷ୍ଠରେ କେତେ ଜୀବଜନ୍ତୁ
ଯେଝା ପରିବେଶେ ଥାଇ,
କୀଟ ଠୁଁ ମାନବ ସୃଷ୍ଟି ହୋଇସର୍ବେ
ଖାଇ ପିଇ ଛନ୍ତି ରହି ।
କେମିତି ଘଟୁଛି କାହିଁକି ଘଟୁଛି
ଥଳକୂଳ ମିଳେନାହିଁ,
ସବୁଠି ତୁମର ଅଦୃଶ୍ୟ ଇଙ୍ଗିତ
ନିତି ଖେଳ କରୁଥାଇ ।
ବଚନ ଯାହାକୁ ବୁଝାଇ ନପାରେ
ଦୃଷ୍ଟି ହୁଏ ପରାହତ,
ମନ ବୁଦ୍ଧି ତହିଁ ପ୍ରବେଶି ନପାରେ
ଜାଣିବାକୁ ଏହି ସତ ।
ରହସ୍ୟ ରେ ଘେରା ଏ ସକଳ ସୃଷ୍ଟି
ତୁମେ ତାର ଚିତ୍ରକର,
କେଉଁ କଉଶଳେ ଗଢ଼ିଅଛ ତୁମେ
ସୃଷ୍ଟିକୁ କରି ସୁନ୍ଦର ।
ଭେଦି ନପାରିଣ ଏ ସୃଷ୍ଟି ରହସ୍ୟ
ଯୋଡି ଦେଉ ବେନି କର,
ତୁମେତ ସବୁର କାରଣ ହେ ପ୍ରଭୁ
ତୁମେ ଜଗତ ଈଶ୍ୱର ।