ରେଖା
ରେଖା
କାଗଜ ଉପରେ ପେନସିଲ୍ ମୁନରେ
ଟାଣିଦେଲେ ଏକ ଗାର
ସେହି ଗାରଟିକୁ ରେଖା କୁହାଯାଏ
ଏ ଜ୍ୟାମିତି ସୂତ୍ରଧର ।
ସେହି ରେଖା ନେଇ ଗଠନ ହୁଅଇ
ତ୍ରିଭୁଜ ଓ ଚତୁର୍ଭୁଜ
ସେହି ଚତୁର୍ଭୁଜ ବର୍ଗାକାର ହୁଏ
ଆୟତକ୍ଷେତ୍ର ବି ହେଜ ।
ଅଙ୍କାବଙ୍କା ରେଖା ହେଇଥିଲେ ସିଏ
ବକ୍ର ରେଖା କୁହାଯାଏ
ରେଖା ମୁନେ ତୀର ଚିହ୍ନ ଗୋଟେ ଥିଲେ
ରଶ୍ମିରେଖା ହୁଏ ସିଏ ।
ସେ ରଶ୍ମିରେଖାର ଗୋଟିଏ ଯେ ମାତ୍ର
ଆଦ୍ୟ ବିନ୍ଦୁ ରହିଥାଏ
ରେଖା ଦୁଇ ପଟେ ତୀର ଚିହ୍ନ ଦେଲେ
ସରଳରେଖା ସେ ହୁଏ ।
ଗୋଟିଏ ବିନ୍ଦୁରେ ଟଣା ଯାଇପାରେ
ଅନେକ ସରଳ ରେଖା
ଦୁଇଟି ବିନ୍ଦୁରେ ଗୋଟେ ମାତ୍ର ହୁଏ
ଅନେକ ଯେ ବକ୍ର ରେଖା ।
ଗୋଟେ ରେଖା ଖଣ୍ଡେ ଦୁଇ ଗୋଟି ବିନ୍ଦୁ
ରହିଥାଏ ଏହା ଜାଣ
ଗୋଟେ ଆଦ୍ୟ ବିନ୍ଦୁ ଗୋଟେ ପ୍ରାନ୍ତ ବିନ୍ଦୁ
ପଠନେ ହୁଏ ଗଣନ ।
ସାହିତ୍ୟ, ଭୂଗୋଳ, ଇତିହାସ ଦେଖ
ରେଖା କଥା ଉଠିଥାଏ
ସେଇ ରେଖା ଚିହ୍ନ ଜୀବନ ଯାତ୍ରାରେ
ଅନେକ ସଂକେତ ଦିଏ ।
ସେଇ ରେଖା ନେଇ ମାନଚିତ୍ର ସୃଷ୍ଟି
ସୂଚନା ଅନେକ ଦିଏ
ସେ ସୂଚନା ଜାଣି ଏଇତ ମାନବ
ଦିଗ ବଦଳାଇଥାଏ ।
ବାଟ ଘାଟ ରାସ୍ତା ସବୁ ସେ ଚିହ୍ନାଏ
ଚିହ୍ନାଏ ଆକାଶ ପଥ
ଜଳପଥ ରେଳପଥ ସେ ଦେଖାଏ
ଦେଖାଏ ସଡକ ପଥ ।
ପାହାଡ ପର୍ବତ ବିଭିନ୍ନ ରଙ୍ଗରେ
ରେଖା ମଧ୍ୟେ ରହିଥାଏ
ସେ ରେଖା ଭିତରେ ସେଇ ରଙ୍ଗ ଦେଖି
ଏ ମାନବ ଜାଣିଥାଏ ।
ଦେଶ ଦେଶ ମଧ୍ୟେ ଟଣା ଯାଇଥାଏ
ନିଜ ଦେଶ ସୀମାରେଖା
ସେ ସୀମାରେଖାକୁ ବର୍ଡର କହନ୍ତି
ଯବାନଙ୍କ ଥାଏ ଦେଖା ।
ନିଜ ସୀମାରେଖା ଡେଇଁ ଯିଏ ଯାଏ
ସେଇଠି ସଂଘର୍ଷ ହୁଏ
ସେଇ ସଂଘର୍ଷ ଯେ କେତେ ରକ୍ତପାତ
ସହ ଜୀବନ ବି ନିଏ ।
ପ୍ରତ୍ୟେକ କଥାରେ ସୀମା ରହିଥାଏ
ସେହି ରେଖା ଡିଏଁ ଯିଏ
ସେଇଠି ପ୍ରଳୟ କାଣ୍ଡ ସୃଷ୍ଟି ହୋଇ
ସମ୍ପର୍କଟି ଭାଙ୍ଗିଥାଏ ।
ମାନ ଥାନ ସନମାନ ରଖି ଯିଏ
ସୀମାରେଖା ମଧ୍ୟେ ଥାଏ
ଦୁଃଖ ସୁଖ ଆସୁ ଧୈର୍ଯ୍ୟର ସହିତ
ହସି ହସି ସହେ ଯିଏ ।
ଜୀବନର ଭାଗ୍ୟରେଖା ତା' ବଦଳେ
ଉନ୍ନତି ସେ ନିଶ୍ଚେ କରେ
କପାଳ ରେଖାକୁ ନିନ୍ଦା କରେ ଯିଏ
ଛଟପଟ ହୋଇ ମରେ।
