ରାତ୍ରୀ ଗୋ
ରାତ୍ରୀ ଗୋ
ରାତ୍ରୀ ଗୋ !
ତମେ ଯେବେ ଆସ
କଳା ପଣତରେ ଢାଙ୍କିଦେଇ
ତମ ବକ୍ଷଦେହ
କଳାବତୀ ଥରି ଉଠେ
ମିଳନ ପିପାସାରେ
ତା'ର ତନୁ ବଲ୍ଲରୀରେ
ଫୁଟି ଉଠେ ସହସ୍ର କଦମ୍ୱ
ଖେଳିଯାଏ ବାସ୍ନା ମହମହ l
ରାତ୍ରୀ ଗୋ !
ତମେ ଅନୁଢା ଶେଫାଳୀର
ନରମ ଗାଲରେ
ବୋଳିଦିଅ ପ୍ରଭାତୀ - ପ୍ରତ୍ୟାଶାର
ଶୀତଳ ଚନ୍ଦନ
ଭରିଦିଅ ହୀରକ ଛାତିରେ ତା'ର
ଧରଣୀର ବକ୍ଷଲଗ୍ନା ହେବାପାଇଁ
ଅୟୁତ କମ୍ପନ l
ରାତ୍ରୀ ଗୋ !
ତମେ ଯେବେ ସରିଯିବ
ପାହାନ୍ତା ପ୍ରହରର ଲାଜୁଆ କିରଣେ
ସେତେବେଳେ ମରିଯିବ କଳାବତୀ
ପରିତୃପ୍ତ ପିପାସାର ମଧୁର ଦହନେ
ଓ
ଶେଫାଳୀ ବି ଶୋଇଯିବ
ବକ୍ଷଲଗ୍ନା ହୋଇ
ହଜିଯାଇ ଅୟୁତ ସପନେ l