STORYMIRROR

LALIT MOHAN DASH

Romance Action Inspirational

3  

LALIT MOHAN DASH

Romance Action Inspirational

ରାସ୍ତା କଡ଼ର ଗଛ

ରାସ୍ତା କଡ଼ର ଗଛ

1 min
198


ପ୍ରତିଦିନ ପ୍ରତ୍ୟୁଷ ଭ୍ରମଣ ବେଳେ

ରାସ୍ତା କଡର ସେ ଗଛଟିକୁ

କେଜାଣି କାହିଁକି ମୋର

ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ

          ଭାରି ଇଚ୍ଛା ହୁଏ l


ପୁରୀରୁ ଗଞ୍ଜାମକୁ

ସ୍ଥାନାନ୍ତର ହୋଇ ଆସିବାକୁ

ତିନି ବର୍ଷ ପୂରି

ଚାରି ବର୍ଷ ହେଲାଣି

ୟା ଭିତରେ ବିତିଯାଇଛି

କେତେ ମଧୁର ମୁହୂର୍ତ୍ତ ,ଦିନ ,ମାସ,ବର୍ଷ

ବଦଳି ଯାଇଛି ଋତୁ

ଗତ ବର୍ଷର କ୍ୟାଲେଣ୍ଡର

ଅଲୋଡା ହୋଇ କେବେ ଠାରୁ

ଫିଙ୍ଗା ସରିଲାଣି

ଆଉ ତା ବଦଳେ ଘରେ କର୍ଯ୍ୟାଳୟେ

ଅଧିକନ୍ତୁ ଚେତନାରେ ମୋର

ନୁଆ କ୍ୟାଲେଣ୍ଡରର ପୃଷ୍ଠା

       ମହକି ଉଠିଛି l


ତେବେ ସେ ଗଛଟି କିନ୍ତୁ

ମୋ ଚେତନାରେ  

    ପୁରୁଣା ହୋଇନି l


ପ୍ରାବୁଟ କାଳରେ

ମୋର ମନେ ହୋଇଛି

ସେ ଯେପରି ଗାଢ଼ ଶାଗୁଆ ରଙ୍ଗର

ଶାଢ଼ୀ ପରିହିତା 

ମୋର ଧର୍ମପତ୍ନୀ

ତାର ସଜଳ ହୃଦୟରୁ 

ଝରୁଥିବା ସ୍ନେହ ପ୍ରେମ ପରି

ଗଛର ପତ୍ର ଗହଳରେ

ଟୁପ୍ ଟାପ ପଡୁଅଛି ବର୍ଷା ବୁନ୍ଦା

ଝର ଝର ହୋଇ ଝରୁଥିବା 

ବର୍ଷା ଜଳକୁ ପାପୁଲିରେ ରଖି

କେତେ ଥର ମୁଁ ନିଜର

       ଛବିକୁ ଦେଖିଛି l

ବିଦେଶରେ ନିଃସଙ୍ଗ ଜୀବନେ ମୋର

କି ଗଭୀର ଆଶ୍ଵାସନା

       ଓ ସରାଗ ପାଇଛି !


ଶୀତ ଋତୁରେ

ସେ ମୋତେ ମନେ ହୋଇଛି

ଗୈରିକ ବସ୍ତ୍ର ପରିହିତା

ଲଣ୍ଡିତ ସନ୍ୟାସିନୀ ମା ପରି

ସୁଖେ ଦୁଃଖ ସେ ମୋତେ

ସାନ୍ତ୍ଵନା ଦେଇଛି

ଜୀବନ ଓ ଜଗତକୁ 

ଭଲ କରି ପଢ଼ିବାର, ବୁଝିବାର

ଓ ଲଢ଼ିବାର

       ମନ୍ତ୍ର ଶିଖାଇଛି l


ଏବେ ମୁଁ ଦେଖୁଛି

ମଧୁ ମଳୟ ସ୍ପର୍ଶରେ

ଶୁଆ ରଙ୍ଗିଆ ପାଟଟିଏ ପିନ୍ଧି

ପ୍ରେମିକାଟି ପରି

ସେ ମୋ ସାମ୍ନାରେ 

      ଉଭା ହୋଇଛି l

ସତରେ କେତେବେଳେ ମା ପରି

କେତେବେଳେ ପତ୍ନୀ ପରି

ପୁଣି କେବେ ରାଧା ପରି

ଗଛଟି ମୋ ଚେତନାରେ

       ପୁଲକ ଆଣିଛି l


ପୁଣି ବେଳେ ବେଳେ

ମନେ ହେଉଛି

ସେ ଗଛ ଆଉ କେହି ନୁହେଁ

ମୁଁ ନିଜେ ବାରମ୍ବାର ତା ଭିତରେ ମୁଁ

     ନିଜକୁ ଦେଖୁଛି l

ନିତିଦିନିଆ ଜୀବନ ଓ ସମାଜର

ଅର୍ଥହୀନ ଚାଲୁ କୋଳାହଳ

 ଘୋଷରା ଜୀବନ ଭିତରେ

ଚିରନ୍ତନ ଆନନ୍ଦ ଓ ସତ୍ୟର

           ଅନ୍ୱେଷା କରୁଛି !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance